ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜରଉ ଗାଁ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡ଼ର ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡ଼ିବାରୁ ୧୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ଶିଶୁ ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର କିଛି ଲୋକ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଗଜପତି ଜିଲ୍ଲାର ଖାରିଗୁଡ଼ା ଅଞ୍ଚଳକୁ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ମାତ୍ର ଜରଉ ଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ୧୭ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ୍କେସିଜି (MKCG) ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।