ଆସନ୍ତା ୨୨ରୁ ଆରମ୍ଭ ହେଉଛି ଶ୍ରାବଣ ସୋମବାର। ଏଥିପାଇଁ ଆରଡିରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ଶ୍ରାବଣ ଜଳାଭିଷେକ କେମିତି ସୁରୁଖୁରୁରେ ସମାପନ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି। ତେବେ ଜୁଲାଇ ୨୨ ତାରିଖ ଠାରୁ ଏହି ଜଳାଭିଷେକ ପର୍ବ ଆରମ୍ଭ ହୋଇ ଅଗଷ୍ଟ ୧୯ରେ ଶେଷ ହେବ। ବିଶେଷ କରି କାଉଡ଼ିଆ ମାନଙ୍କ ସୁବିଧା ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା, ଗହଳି ନିୟନ୍ତ୍ରଣ, ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଯୋଗାଣ, ଶୌଚାଳୟ ବ୍ୟବସ୍ଥା, ଚିକିତ୍ସା ଶିବିର ଆୟୋଜନ ଆଦି ସଂପୃକ୍ତ ବିଷୟ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏପରିକି ନୀତିକାନ୍ତି ଓ ପୂଜାବିଧ ସମୟ ବାବଦରେ ମଧ୍ୟ ସମୟ ସୀମା ନିର୍ଧାରଣ କରାଯାଇଥିଲା। ତେବେ ସଂପୃକ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ଗୁଡ଼ିକ ଉପରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।