ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ କୁ ମିଳିଛି ସଫଳତା। ଚଳିତ ବର୍ଷ ହୋଲି ଦିନ ନୟାପଲ୍ଲୀସ୍ଥିତ ବ୍ରିଟ୍ କଲୋନୀରେ ଆତଙ୍କ ଖେଳାଇଥିବା KBN ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ନୟାପଲ୍ଲୀ ଥାନା ପୋଲିସ।ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର୍, ଗୋଟିଏ ସ୍କୁଟି ସମେତ ଧାରୁଆ ଅସ୍ତ୍ର ଇତ୍ୟାଦି ଜବତ କରିଥିବା ସୂଚନା ମିଳିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।
ନୟାପଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ସୁଦର୍ଶନ, ରକି ନାୟକ, କୁଶ ମୁଣ୍ଡା, ରାଜକିଶୋର ଦିଗାଲ, ସଞ୍ଜୟ କୁମାର ସାହୁ, ସୁମନ ପାତ୍ର, ବିଭୁ ନାୟକ। ତେବେ ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କିଛି ଜଣଙ୍କ ନାଁରେ ଆଗରୁ ଅପରାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ।
ସୂଚନା ଅନୁଯାୟୀ, ନୟାପଲ୍ଲୀ ବ୍ରିଟ୍ କଲୋନୀର କେନ୍ଦୁ ଖୁଣ୍ଟିଆ ହୋଲି ଦିନ ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ କେବିଏନ୍ ଗ୍ୟାଙ୍ଗର କିଛି ଯୁବକ ମଧ୍ୟ ସେଠିକୁ ଯାଇଥିଲେ। ତେବେ ଏହି ସମୟରେ କେବିଏନ୍ ଗ୍ୟାଙ୍ଗସହିତ କଥା କଟାକଟି ହୋଇ ଯୁକ୍ତିତର୍କ ହୋଇଥିଲା ।
ତେବେ ସେହି ସନ୍ଧ୍ୟାରେ KBN ଗୋଷ୍ଠୀର ୧୫ରୁ ଉର୍ଦ୍ଧ୍ବ ଯୁବକ ଧାରୁଆ ଅସ୍ତ୍ର ନେଇ ବ୍ରିଟ୍ କଲୋନୀକୁ ଯାଇ ଗଣ୍ଡଗୋଳ ଆରମ୍ଭ କରି ଅନେକ ଲୋକଙ୍କୁ ଆକ୍ରମଣ କରିଦେଇଥିଲେ। ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ବହୁ ଗାଡିକୁ ସେମାନେ ଭାଙ୍ଗି ଦେଇଥିଲେ। ତେବେ ପୋଲିସ ସେମାନଙ୍କ ମଧ୍ୟରୁ କିଛି ଜଣ ପୋଲିସ ହାବୁଡ଼ରେ ପଡିଛନ୍ତି।
ଅଧିକ ପଢନ୍ତୁ: ରେଳ ଫାଟକ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର