ଭୁୁବନେଶ୍ୱର : ଗ୍ରୀଷ୍ମ ଋତୁ ଆସିଲା ମହାନଦୀର ସ୍ଥିତି ସଙ୍ଗୀନ ହୋଇ ପଡୁଛି । ନଦୀ ପଠା ଶୁଖି ଯାଉଛି । ମହାନଦୀର ଜଳ ପ୍ରବାହ କେମିତି ଜାରି ରହିବ ତାକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ ।
ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଦେଇ ପ୍ରବାହିତ ମହାନଦୀ ଅବବାହିକାରେ ପାଣି କମି ଯାଉଥିବା ବିଧାନସଭାରେ ସ୍ୱୀକାର କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ଉଦୟପୁରରେ ହୋଇଥିବା ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ଥିଲେ । ଦୁଇ ପକ୍ଷଙ୍କ ମଧ୍ୟରେ ମହାନଦୀ ପ୍ରସଙ୍ଗରେ ସକରାତ୍ମକ ଆଲୋଚନା ହୋଇଛି ।
ସ୍ଥିତିକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସେହିପରି ପୁରୀ ଜିଲ୍ଲା ଦେଇ ପ୍ରବାହିତ ଦୟାନଦୀର ସ୍ଥିତି ମଧ୍ୟ ସଙ୍ଗୀନ । ତେଣୁ ଏହି ନଦୀରେ ଜଳ ପ୍ରବାହ ନେଇ ମଧ୍ୟ ପଦକ୍ଷେପ ନିଆଯିବ । ମହାନଦୀକୁ ପାଣି ଛାଡିବା ନେଇ ଛତିଶଗଡ ସରକାର ସହ ଆଲୋଚନା ହୋଇଛି । ଆଗାମୀ ସମୟରେ ମହାନଦୀ ସ୍ଥିତିର ସୁଧାର ଆସିବ ବୋଲି ମନ୍ତ୍ରୀ ରବି ନାୟକ କହିଛନ୍ତି ।