ଭୁବନେଶ୍ଵର: ରାଜ୍ୟର ୨୩ଟି ଜିଲ୍ଲାରେ ୫୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏବଂ ଭଦ୍ରକ ବାସୁଦେବପୁରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ସ୍ଥାପନ କରାଯିବ ।
ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ଟି ନୂଆ କୋର୍ଟ ସ୍ଥାପନ କରାଯିବ । ସେହିପରି ସୁନ୍ଦରଗଡ଼ରେ ୫ଟି କୋର୍ଟ ସ୍ଥାପନ କରାଯିବାକୁ ଥିବାବେଳେ ରାୟଗଡ଼ା, କେଉଁଝର ଓ ବଲାଙ୍ଗୀରରେ ୪ଟି ଲେଖାଏଁ ନୂତନ କୋର୍ଟ ପ୍ରତିଷ୍ଠା କରାଯିବ । ଗଜପତିରେ ୩ ଏବଂ ବରଗଡ଼, ଗଞ୍ଜାମ, କୋରାପୁଟ, ଯାଜପୁର, ପୁରୀ ଓ ସମ୍ବଲପୁରରେ ୨ଟି ଲେଖାଏ ସିଭିଲ୍ କୋର୍ଟ ସ୍ଥାପନ ହେବ । ସେହିପରି ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା ଏବଂ ନବରଙ୍ଗପୁରରେ ଗୋଟିଏ ଲେଖାଏଁ ନୂତନ କୋର୍ଟ ସ୍ଥାପନ କରାଯିବ ।
ଖାଲି ସେତିକି ନୁହେଁ ନୂତନ କୋର୍ଟ ସ୍ଥାପନ ଦ୍ୱାରା ସ୍ୱୀକୃତି ଏବଂ ଅଣ-ସ୍ୱୀକୃତି ପ୍ରାପ୍ତ ମୋଟ ୮୪୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସିଭିଲ୍ ଜର୍ଜ ପଦ ପାଇଁ ୫୬ଟି ନିଯୁକ୍ତି ବାହାରିବାକୁ ଥିବାବେଳେ ମୁଖ୍ୟ କିରାଣୀ, କିରାଣୀ, ,ଷ୍ଟେନୋଗ୍ରାଫର, ଜୁନିୟର ଟାଇପିଷ୍ଟ, କପିଷ୍ଟ, ହାଉସ୍ ଅର୍ଡଲୀ, ଝାଡ଼ୁଦାର ଏବଂ ୱାଚମ୍ୟାନ ପଦ ପାଇଁ ୫୬ଟି ଲେଖାଏଁ ପଦବୀ ସୃଷ୍ଟି ହେବ । ସେହିପରି କନିଷ୍ଠ କିରାଣୀ, ପ୍ରୋସେସ୍ ସର୍ଭର ଏବଂ ପିଅନ ପାଇଁ ୧୧୨ଟି ଲେଖାଏଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।