ଭୁବନେଶ୍ବର: ଧିରେ ଧିରେ କାୟା ମେଲାଉଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋରୋନାରେ ଜଣକ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଏହା ବ୍ୟତୀତ କୋରୋନାକୁ ନେଇ ରାଜ୍ୟରେ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ । ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସବୁକିଛି ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ଦେଶରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କୋରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୬୪ ନୂଆ ମାମଲା ଚିହ୍ନଟ ହୋଇଛି । ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୩୦୨ ହୋଇଛି।