ଗଭୀର ଅବପାତ ଯୋଗୁଁ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ ହୋଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକ ହେଉଛି କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା । ଏହି ୬ ଜିଲ୍ଲାର ୩୭ ବ୍ଲକ, ୧୨୭ ପଞ୍ଚାୟତର ୨୭୩ ଗାଁ ପ୍ରଭାବିତ ହୋଇଛି । ଗ୍ରାମକୁ ଛାଡିଦେଲେ ୫ ସହରାଞ୍ଚଳର ୨୦ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି ।
ଏହି ବିପର୍ଯ୍ୟୟ ସମୟରେ ୮୦୮୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରି ଜିଲ୍ଲାରେ ରାସ୍ତା ଓ ପୋଲ ଉପରେ ପାଣି ପ୍ରବାହିତ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଗଛ ପଡ଼ି ୨ଟି ସ୍ଥାନରେ ରାସ୍ତା ଅବରୋଧ ହୋଇଛି । ନବରଙ୍ଗପୁରରେ ବି ୨ଟି ଘର ଭାଙ୍ଗିଛି ବୋଲି ମନ୍ତ୍ରୀ କହିଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ ୫ ଜିଲ୍ଲାକୁ ଅଧିକାରୀମାନେ ଯିବେ ଏବଂ ୨୬ ତାରିଖରୁ ସ୍ବାଭାବିକ ସ୍ଥିତି ଫେରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକ କଲଭର୍ଟ ଭାଙ୍ଗିଛି । ଲଗାଣ ବର୍ଷା ଫଳରେ ରାଲେଗଡ଼ା ପଞ୍ଚାୟତରେ କଲଭର୍ଟ ଭାଙ୍ଗିଯାଇଛି । ନୂଆଟେକପଦରରୁ ପୁରୁଣା ଟେକପଦର ରାସ୍ତା ମଝିରେ ଭାଙ୍ଗିଛି । କଲଭର୍ଟ ଭାଙ୍ଗିବାରୁ ଏକାଧିକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।