କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୩୫ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିବାରୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ହଷ୍ଟେଲ ଅନ୍ତେବାସୀ ସୋମବାର ରାତ୍ରିଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣେଇ ଥିଲେ। ପରେ ପରେ ହଷ୍ଟେଲର ଅଧିକାଂଶ ପିଲାଙ୍କ ପେଟ ବ୍ୟଥା ହେଉଥିବା ଜଣେଇବା ପରେ ପ୍ରଧାନ ଶିକ୍ଷକ କୁଳମଣି ଜେନା ୩ଟି ଗାଡି ଯୋଗେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବୈପାରିଗୁଡା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଥିଲେ।