ମାଓ ଆକ୍ରମଣରେ ସହିଦ ହେଲେ ୩ ଯବାନ । ଏହାସହ ପୁଲିସ କ୍ୟାମ୍ପ୍ ନିକଟରେ ଅତର୍କିତ ଆକ୍ରମଣରେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ହୋଇଥିଲା ମାଓ ଏବଂ ଯବାନଙ୍କ ମଧ୍ୟରେ । ଏମାନେ ହେଲେ କୋବ୍ରା-୨ ବାଟାଲିୟନ୍ର ଦେବନ ସି, ପବନ କୁମାର ଏବଂ ସିଆରପିଏଫ୍-୧ର ଲମ୍ବୋଦର ସିହ୍ନା । ଯବାନମାନେ ନୂଆ କ୍ୟାମ୍ପ ନିର୍ମାଣ କରି ମାଓ ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣର କୋବ୍ରା, ଏସଟିଏଫ ଏବଂ ଡିଆରଜି ଫୋର୍ସର ମିଳିତ ଟିମ୍ ଜବାବ୍ ଦେଇଥିଲେ । ସୁରକ୍ଷା ବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି ୬ଜଣ ମାଓବାଦୀ । ଦୁଇ ପକ୍ଷର ଏହି ଗୁଳିବିନିମୟରେ ୩ଜଣ ଯବାନ ସହିଦ ହୋଇଛନ୍ତି । ତେବେ ସୁରକ୍ଷାବଳର ପ୍ରତି ଆକ୍ରମଣରେ ମାଓବାଦୀମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ବିଜାପୁର-ସୁକମା ଜିଲ୍ଲା ସୀମାନ୍ତ ଜୋନାଗୁଡ଼ା ଓ ଅଲିଗୁଡ଼ା ନିକଟରେ ମାଓବାଦୀ ଠୁଳ ହୋଇଥିବା ଖବର ମିଳିଥିଲା ।
ତେଣୁ କୋବ୍ରା, ଏସ୍ଟିଏଫ୍, ଡିଆର୍ଜି, ସିଆର୍ପିଏଫ୍ ଯବାନ ମିଳିତ ଅପରେସନ ଆରମ୍ଭ କରିଥିଲେ। ଯବାନ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପହଞ୍ଚିବାମାତ୍ରେ ମାଓବାଦୀ ଆକ୍ରମଣ ଆରମ୍ଭ କରିଥିଲେ। ସେଠାରେ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସେହି ଆକ୍ରମଣର କଡ଼ା ଜବାବ ଦେଇଥିଲେ ଯବାନ। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି ।