ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ତାଣ୍ଡବ । ମଧ୍ୟାହ୍ନରେ ତାତି ରହିଲେ ମଧ୍ୟ ଅପରାହ୍ନରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। ଏଥିପାଇଁ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଭ୍ୟନ୍ତରିଣୀ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ପାଖାପାଖି ଛୁଇଁପାରେ । ଉପକୂଳ ସହ ଆଭ୍ୟନ୍ତରିଣ ଓଡ଼ିଶାର କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।
ସେପଟେ ଆସନ୍ତା ଜୁନ୍ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ରୁତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି, ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।