ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଂଶତମ ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ। ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆରମ୍ଭ ହେବାକୁ ଯାଉଛି ଏହି ମହୋତ୍ସବ। ଏହା ୯ ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଓଡ଼ିଆ ଭାଷା ଏବଂ ସାହିତ୍ୟର ଝଲକ ଏହି ମହୋତ୍ସବରେ ଦେଖିବାକୁ ମିଳିବ । ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହି ମହୋତ୍ସବର ଲକ୍ଷ୍ୟ ।
ସୂଚନାଯୋଗ୍ୟଯେ, ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସମାନ୍ତରାଳ ଧାରାରେ ଏକାମ୍ର ଉତ୍ସବ ପାଳିତ ହୋଇଥିବା ବେଳେ ଠିକ ସେହିପରି ଭାବରେ ଧଉଳି-କଳିଙ୍ଗ ମହୋତ୍ସବ ମଧ୍ୟ ପାଳନ କରାଯିବ । ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ୧୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ୱ ପ୍ରସିଦ୍ଧ ଧଉଳିରେ ଅନୁଷ୍ଠିତ ହୋଇଥାଏ । ଦେଶର ଯୁବକ ସମାଜ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଦେଶ ବିଦେଶରୁ ଅନେକ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ନିଜ କଳାକୃତୀକୁ ପ୍ରଦର୍ଶନ କରିଥାନ୍ତି । ଏହି ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରନ୍ତି । ସେପଟେ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ହେଉଥିବା ବେଳେ ଓଡିଶାକୁ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ହେଉଛି ଏହି ମହୋତ୍ସବର ମୁଖ୍ୟ ଆଭିମୁଖ୍ୟ ।
ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳୀର ବିକାଶ, ଜାତୀୟ ଐତିହ୍ୟର ସୁରକ୍ଷା, ପର୍ଯ୍ୟାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡ଼ିଶାମୁଖୀ କରିବା ଏହି ମହୋତ୍ସବର ଲକ୍ଷ୍ୟ । ତେବେ ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆୟୋଜିତ କରାଯାଉଛି।
ଅଧିକ ପଢନ୍ତୁ:ମୋଦି କରିବେ ହ୍ୟାଟ୍ରିକ