ଗଜପତି: ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଛତୁଆ ଖାଇ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରାମଗିରି ଥାନା ତୁଳସୀନଗର ଗ୍ରାମରେ । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଦୁଇ ଶିଶୁ ହେଲେ ତୁଳସୀ ବଡ଼ମୁଣ୍ଡି(୬) ଓ ଗୁଣବତୀ ବଡ଼ମୁଣ୍ଡି (୩) । ସେହିପରି ଗୁରୁତର ହେଲେ ବାପା ଅର୍ଜୁନ ବଡ଼ମୁଣ୍ଡି (୪୬) ଏବଂ ବଡ଼ ଝିଅ ସୁମିତ୍ରା ବଡ଼ମୁଣ୍ଡି (୧୨) । ମୃତ ତୁଳସୀ ହେଉଛି ଶିବଶଙ୍କର ବଡ଼ମୁଣ୍ଡିଙ୍କ ଝିଅ ହୋଇଥିବାବେଳେ ଗୁଣବତୀ ସମ୍ପର୍କୀୟଙ୍କ ଝିଅ ଅଟେ ।
ପ୍ରାପ୍ତ ସୂଚନା ମୁତାବକ, ରବିବାର ଅପରାହ୍ନରେ ଶିବଶଙ୍କର ବଡ଼ମୁଣ୍ଡିଙ୍କର ଦୁଇ ଝିଅ ଏବଂ ଗୁଣବତୀ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକ ସମସ୍ତଙ୍କୁ ରାମଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଅର୍ଜୁନ ଓ ତାଙ୍କ ବଡ଼ ଝିଅ ସୁମିତ୍ରାଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସମସ୍ତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶିଶୁ କନ୍ୟା ଗୁଣବତୀର ମୃତ୍ୟୁ ହୋଇଥିଲା । ଅର୍ଜୁନ ଏବଂ ସୁମିତ୍ରାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସମସ୍ତେ ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଜଣାପଡ଼ିଥିଲା । ଗତ ଗୁରୁବାର ଦିନ ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ଛତୁଆ ବଣ୍ଟନ କରାଯାଇଥିଲା । ସେହି ଛତୁଆକୁ ସମସ୍ତେ ଖାଇଥିବା ଜଣାପଡ଼ିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ରାମଗିରି ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।