ବଲାଙ୍ଗୀର: ଅସୁରକ୍ଷିତ ହୋଇପଡ଼ିଛି ଦେଶର ଚତୁର୍ଥ ସ୍ତମ୍ଭ । ଜନତାଙ୍କ ପାଖରେ ଟିକିନିଖି ଖବର ପହଁଚାଉଥିବା ସାମ୍ବାଦିକ ଆଜି ବିପଦରେ । ସତ ଖବର ବାହାରକୁ ଆଣିଲେ ହେଉଛି ମରଣାନ୍ତକ ଆକ୍ରମଣ । ନିମ୍ନମାନର କାମ କରି ଲୋକଙ୍କ ପାଇଁ ଆସୁଥିବା ସରକାରୀ ଟଙ୍କା ହଡ଼ପ କରିବା ଘଟଣା ଖବରକୁ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ଦିଆଯାଇଛି ନିର୍ଯ୍ୟାତନା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହୋଇଛି ମାଡ଼ । ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା, ଗୁମର ନାୟକ ଏବଂ ଜଣେ ନାବାଳକ ।
ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ବିଜୟ ପ୍ରଧାନ ଦୁର୍ନୀତି ବିରୁଦ୍ଧରେ ଖବର ସଂଗ୍ରହ କରିବାକୁ ପୁଇଁତଲା ବ୍ଲକ୍ କୁଲଥିପାଲି ଗାଁକୁ ଯାଇଥିଲେ । ଠିକାଦାର ଗଜେନ୍ଦ୍ର ଦଳେଇ ନିମ୍ନମାନର କାମ କରୁଥିବା ନେଇ ସାମ୍ବାଦିକ ଖବର ସଂଗ୍ରହ କରିଥିଲେ । ଏହା ପରେ ସାମ୍ବାଦିକଙ୍କୁ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପୁତୁରା ଅବିନାଶ ଦଳେଇ ଏବଂ ତାଙ୍କର କିଛି ସାଥି ମିଶି ସାମ୍ବାଦିକଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ । ସାମ୍ବାଦିକଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଗୋଇଠା ଓ ଚାପୁଡ଼ା ମାରିଥିଲେ ।
ଏ ନେଇ ସାମ୍ବାଦିକ ବିଜୟ ପ୍ରଧାନ ପୁଇଁତଲା ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଚୁପ ବସିଥିଲା । ତେବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ତତ୍ପରତା ଦେଖାଇଛି । ଘଟଣାର ଚାରି ଦିନ ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅବିନାଶ ଦଳେଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଥିବାବେଳେ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣା ପଡ଼ିଛି । ସେ ଏବେ ଫେରାର ଥିବା ଜଣାପଡ଼ିଛି । ତାଙ୍କୁ ବି ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।