ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ପିଏମ୍ ଆବାସ ପାଇଁ ଆବେଦନ ଆଉ ମାତ୍ର ୩ ଦିନ ମଧ୍ୟରେ ସରିବ । ଏ ପର୍ଯ୍ୟନ୍ତ ୩୬ ଲକ୍ଷରୁ ଊର୍ଦ୍ଧ୍ବ ଆବେଦନ ଆସି ସାରିଲାଣି । ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଅବଧି ଭିତରେ କରି ନିଅନ୍ତୁ । ଆବେଦନର ଶେଷ ତାରିଖ ଆସନ୍ତା ୩୦ ତାରିଖରେ ସରିବ । ଆବେଦନ ପରେ ସରକାରଙ୍କ ପକ୍ଷରୁ ସର୍ଭେ ପ୍ରକ୍ରିୟା ଆରମ୍ଭ କରାଯିବ । ତାପରେ ସଠିକ ତଥ୍ୟ ସଂଗ୍ରହ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍ ଆବାସ ଯୋଜନାରେ ସାମିଲ କରାଯିବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।
ଆହୁରି ମଧ୍ୟ ମନ୍ତ୍ରୀ ରବି ନାଏକ କହିଛନ୍ତି ଯେ, ସବୁ ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ତାଲିକା ପ୍ରସ୍ତୁତି ଚାଲିଛି, ୨ ମାସ ଭିତରେ ପ୍ରକ୍ରିୟା ସରିବ । ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ। ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ । ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ରାଜ୍ୟରେ ଥିବା ଦୁର୍ବଳ ବର୍ଗର ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରାଜ୍ୟର ସବୁ ବର୍ଗର ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାରଙ୍କ ଏହା ଏକ ଅଭିନ୍ନ ପ୍ରୟାସ ।