ପୁରୀ: ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ହେବ ଶ୍ରୀବିଗ୍ରହଙ୍କ ପହଣ୍ଡି ନୀତି।ପ୍ରତ୍ୟେକ ରଥରେ ଠାକୁରଙ୍କ ପହଣ୍ଡି ପାଇଁ କେତେ ସଂଖ୍ୟାରେ ସେବାୟତ ରହିବେ ତାହା ନିରୂପଣ କରାଯିବ। ପ୍ରତି ରଥ ପାଇଁ ଏକ ସ୍ବତନ୍ତ୍ର ପହଣ୍ଡି ଦଳ ଗଠନ କରାଯିବ। ଅଭିଜ୍ଞତାକୁ ଗୁରୁତ୍ବ ଦିଆଯିବ। ବୈଷୟିକ ଦିଗକୁ ମଧ୍ୟ ଗୁରୁତ୍ବ ଦିଆଯିବ। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ଉଚ୍ଚସ୍ତରୀୟ (ଅଧିକାରୀ ତଥା ଏକ୍ସ ଅଫିସିଓ) ବୈଠକରେ ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଗତବର୍ଷ ଆଡ଼ପ ପହଣ୍ଡି ଅଘଟଣର ଯେପରି ପୁନରାବୃତ୍ତି ନହୁଏ ସେନେଇ ଗୁରୁତ୍ବ ଦିଆଯାଉଛି। ପ୍ରତ୍ୟେକ ରଥ ପାଇଁ ପହଣ୍ଡି ଦଳ ସହ ପହଣ୍ଡି ବେଳେ କେତେ ଜଣ ସେବାୟତ ରହିବେ ତା’ର ସଂଖ୍ୟା ନିରୂପଣ କରାଯିବ।ଏଥିସହ ଏଣିକି ରଥ ଉପରେ ଅଣ ସେବାୟତ ଚଢ଼ିଲେ କିମ୍ବା ଅନଧିକୃତ ଭାବେ କାର୍ଯ୍ୟ କଲେ ଏଥର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଏହି ଦାୟିତ୍ବ ଦିଆଯାଇଛି।ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ସମ୍ପୃକ୍ତ ସେବାୟତ ନିଯୋଗର ପ୍ରତିନିଧିଙ୍କ ସହିତ ବାଡ଼ଗ୍ରାହୀ, ଅନ୍ୟ ସେବା ସମ୍ପୃକ୍ତ ନିଯୋଗ ସହ ଏ ସମ୍ପର୍କରେ ଆଲୋଚନା କରାଯିବ।
ସୂଚନା ଥାଉକି ଗତବର୍ଷ ଆଡ଼ପମଣ୍ଡପକୁ ବିଜେ ବେଳେ ମହାପ୍ରଭୁ ଶ୍ରୀବଳଭଦ୍ର ପଡ଼ିଯାଇଥିଲେ ଯେଉଁ ଘଟଣା ପରେ ପହଣ୍ଡି ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ଏଥର ପହଣ୍ଡି ଶୃଙ୍ଖଳାକୁ ବିଶେଷ ଗୁରୁତ୍ବ ଦେଇଛି ପ୍ରଶାସନ।
ସେହିପରି ଗତ ବର୍ଷ ବାହୁଡ଼ା ଯାତ୍ରାରେ ଜଣେ ଅଣସେବକ ରଥରେ ଚଢ଼ିଥିବାରୁ ତାଙ୍କୁ ରଥରୁ ଓହ୍ଲାଇଦେବା ସହ ତାଙ୍କ ମୋବାଇଲ୍ ଜବତ ହୋଇଥିଲା। ଏଥର କିନ୍ତୁ ଆଉ ଖୋଲା ଛଡା ଯିବ ନାହିଁ। ଯେକୌଣସି ଅନଧିକୃତ ବ୍ୟକ୍ତି ରଥରେ ଚଢ଼ିବେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ସହ ଫୌଜଦାରୀ ମକଦ୍ଦମା ଦାୟର ହେବ। ତେଣୁ କେହି ବି ଅନଧିକୃତ ଭାବେ ରଥରେ ନଚଢ଼ିବାକୁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି।