ମାଲକାନଗିରି: ମହିଳା ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ଏମଭି-୨୬ରେ ଗ୍ରାମରେ ସୃଷ୍ଟି ହୋଇଥିବା ଅପ୍ରିତିକର ପରିସ୍ଥିତିରେ ୧୬୩ ଘର ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି । କ୍ଷୟକ୍ଷତିର ଆକଳନ କରାଯାଉଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତ ମହିଳାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ମହିଳା ମୃତ୍ୟୁକୁ ନେଇ ଏମଭି-୨୬ ଗ୍ରାମରେ ରାଖାଲଗୁଡ଼ା ଗ୍ରାମବାସୀ ନିଆଁ ଲଗାଇଦେଇଥିଲେ । ଫଳରେ ୧୮୮ ଘର ମଧ୍ୟରୁ ୧୬୩ ଘର କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନିକ ଅଧିକାରୀମାନେ ପହଁଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ଗାଁରେ ଥିବା ଆବାସିକ ବିଦ୍ୟାଳୟକୁ ୪ ଦିନ ପାଇଁ ବନ୍ଦ ରଖାଯାଇଥିବାବେଳେ ପୋଲିସ ଫୋର୍ସ ମଧ୍ୟ ମୁତୟନ ଅଛନ୍ତି । ଉଭୟ ଗ୍ରାମ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଖୁବ ଶୀଘ୍ର ଶାନ୍ତି କମିଟି ବୈଠକ ବସିବ ।
ଏଠାରେ ପ୍ରକାଶ ଯୋଗ୍ୟ, ଗତ ୬ଦିନ ତଳେ ରାଖାଲଗୁଡ଼ା ଗ୍ରାମର ଲାକେ ପଡ଼ିଆମି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ କୋରୁକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡାମେଟା ନଦୀ କୂଳରୁ ମିଳିଥିଲା । ଏମଭି-୨୬ରେ ଗ୍ରାମର ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ରାଖାଲଗୁଡ଼ା ଗ୍ରାମବାସୀ ସନ୍ଦେହ କରିଥିଲେ । ଏ ନେଇ ଆଦିବାସୀ ମେଳି କରି ଏମଭି-୨୬ ଗ୍ରାମରେ ପହଁଚିଥିଲେ । ଉଭୟ ଗ୍ରାମବାସିନ୍ଦାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ରାଖାଲଗୁଡ଼ା ଗ୍ରାମର ଲୋକେ ଏମଭି-୨୬ ଗ୍ରାମର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଦେଇଥିଲେ । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା ।