ଘାରିଛି ବିସ୍ଥାପନ ଭୟ । ଖଣି ଖନନ ଆଣିବ ବିପଦ । ଆଶଙ୍କାରେ ଥରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ର ୧୨୫ ଗାଁ। ବାସଗୃହ ଥଇଥାନ ପାଇଁ ବ୍ୟାକୁଳ ହେଉଛନ୍ତି ଗାଁଲୋକେ । ଏମ୍ସିଏଲ୍, ଏନ୍ଟିପିସି, ଓସିପିଏଲ୍, ବେଦାନ୍ତର ୭ଟି କୋଇଲା ଖଣି ପ୍ରକଳ୍ପ ପରେ ହେମଗିର ଅଞ୍ଚଳରେ ସରୁନି ଖଣି ପ୍ରକଳ୍ପ ଆଗକୁ ଆହୁରି ୧୮ଟି ଖଣି ଖୋଳିବାକୁ ପ୍ରସ୍ତାବ ରହିଥିବାରୁ ଏସବୁ ଗାଁକୁ ଘାରିଛି ବିସ୍ଥାପନ ଭୟ। ୨୭ ବର୍ଷ ପରେ ବି ଏମ୍ସିଏଲ୍ର ବିସ୍ଥାପନ ଯନ୍ତ୍ରଣା ସରୁନି । ପୁଣି କାଳ ଭଳି ମାଡ଼ି ଆସୁଛି ଖଣି ଯନ୍ତ୍ରଣା । ଖଣି ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଆତଙ୍କିତ କରି ରଖିଛି ।
ହେମଗିର ଅଞ୍ଚଳରେ ୧୯୯୫ରୁ ଖଣି ଖୋଳା ଚାଲିଛି କିନ୍ତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ମହାନଦୀ ଖୋଲାମୁହଁ କୋଇଲାଖଣି ହେଉ କି ଏନ୍ଟିପିସିର ଡୁଲିଙ୍ଗା, ଓପିସିଏଲ୍ର ମନୋହରପୁର ଅଥବା ବେଦାନ୍ତର ଜାମକାନି କେଉଁଠି ବି ବିସ୍ଥାପିତଙ୍କୁ ମିଳିପାରିନି ନ୍ୟାୟ। ଖାଲି ଦିନ ଗଡ଼ାଇ ଚାଲିଛି କମ୍ପାନୀ ହେଲେ ନୀତି ନିୟମ ଅନୁଯାୟୀ ନ୍ୟାୟ କ୍ଷତିପୂରଣ, ପୁନର୍ବାସ, ଥଇଥାନ କରୁନାହିଁ । ଏପରିକି ପ୍ରଶାସନ ମଧ୍ୟ ବିସ୍ଥାପିତଙ୍କ ଯନ୍ତ୍ରଣାକୁ ଅଣଦେଖା କରିଚାଲିଛି। ପୁନର୍ବାସ, ଥଇଥାନ ତ ଦୂରର କଥା , ଖଣି ଅଞ୍ଚଳବାସୀଙ୍କୁ ଏ ଯାଏଁ ବିସ୍ଥାପିତ ପ୍ରମାଣପତ୍ର ୧୦ ଡିସିମିଲ୍ ଜମି ବି ମିଳି ନାହିଁ। ଅପରପକ୍ଷେ ବିସ୍ଥାପିତମାନେ ନ୍ୟାୟ ପାଇବା ପାଇଁ ଦୌଡ଼ିଦୌଡ଼ି ନୟାନ୍ତ ହେଉଛନ୍ତି ହେଲେ କିଛି ବି ସୁଫଳ ମିଳୁନି । ଏହି ସ୍ଥିତିରେ ଆଗକୁ ମାଡ଼ି ଆସୁଥିବା ୧୮ଟି ଖଣିର ବିସ୍ଥାପନ ଅଞ୍ଚଳବାସୀଙ୍କୁ ଭୟଭୀତ କରିଛି।
ହେମଗିର ବ୍ଲକ୍ ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ୯୩୪ ବର୍ଗ କିଲୋମିଟର ଦୂରରେ ଅବସ୍ଥିତ। ସେଥିମଧ୍ୟରୁ ୬୨୩ ବର୍ଗ କିଲୋମିଟର କେବଳ ଘଞ୍ଚ ଜଙ୍ଗଲ। ଏହାରି ତଳେ କାର୍ଯ୍ୟକ୍ଷମ ୩ଟି ରାଷ୍ଟ୍ରାୟତ୍ତ କମ୍ପାନି ୫ଟି କୋଇଲାଖଣି ସମେତ ପ୍ରସ୍ତାବିତ ୧୮ କୋଇଲା ଖଣିର ୩୫୨.୮୩ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୩୦୧୯୪.୯୪୪ ମିଲିୟନ ଟନ୍ କୋଇଲା ଗଚ୍ଛିତ ରହିଛି। କାର୍ଯ୍ୟକ୍ଷମ ୫ଟି ଖଣି ଏମ୍ସିଏଲ୍ ବସୁନ୍ଧରା ପୂର୍ବ, ପଶ୍ଚିମ ସମ୍ପ୍ରସାରଣ ପ୍ରକଳ୍ପରେ ୨୨୭.୬୨ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଥିବାବେଳେ କୁଲଡ଼ା ପ୍ରକଳ୍ପରେ ୨୭୯.୨୦ ହେକ୍ଟର, ଗର୍ଜନବାହାଲ ପ୍ରକଳ୍ପରେ ୮୮.୯୦ ହେକ୍ଟର ଜଙ୍ଗଲ ନଷ୍ଟହେବ ବୋଲି ଆଶଙ୍କା କରାଯାଉଛି । ଏମ୍ସିଏଲ୍ର ୪ଟି ଖଣି ଦ୍ୱାରା ୪ଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି। ଖାଲି ଏତିକି ନୁହେଁ ଆଗକୁ ଆହୁରି ୧୦ଟି ଗାଁ ବିସ୍ଥାପିତ ହେବ ବୋଲି ସୂଚନା ମିଳିଛି । ସେହିପରି ଏନ୍ଟିପିସି ଡୁଲିଙ୍ଗା ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ୩୨୩.୦୯ ହେକ୍ଟର ଜଙ୍ଗଲ ନଷ୍ଟ ହେଵା ସହ ୪ଟି ଗାଁ ବିସ୍ଥାପନ ହୋଇଛି। ଓସିପିଏଲ୍ ମନୋହରପୁର ଓ ମନୋହରପୁର ଡିପ୍ସାଇଡ୍ ପ୍ରକଳ୍ପରେ ୬୧୧.୧୪୮ ହେକ୍ଟର ଜଙ୍ଗଲ ନଷ୍ଟ ଓ ୪ଟି ଗାଁ ବିସ୍ଥାପିତ ହୋଇଛନ୍ତି। ୧୮ଟି ଖଣି ଖୋଲିଲା ପରେ ବିସ୍ଥାପନ ହେଵା ସହ ଜଙ୍ଗଲ ନଷ୍ଟ ମଧ୍ୟ ବହୁଗୁଣ ବଢ଼ିବା ସହିତ ଧ୍ବଂସସ୍ତୁପରେ ପରିଣତ ହେବ ହେମଗିରି । ସିଆରମାଲ ପ୍ରକଳ୍ପରେ ୩୪୯.୭୦୯ ହେକ୍ଟର ଜଙ୍ଗଲ ନଷ୍ଟହେବାକୁ ଥିବାବେଳେ ୟୁଏମ୍ପିପି ମୀନାକ୍ଷି ଏ, ମୀନାକ୍ଷି ବି, ମୀନାକ୍ଷି ପଶ୍ଚିମ ଓ ଡିପ୍ସାଇଡ୍ ମୀନାକ୍ଷି ପ୍ରକଳ୍ପରେ ୪ ଶହ ହେକ୍ଟର, ବେଦାନ୍ତ ଷ୍ଟେରଲାଇଟ୍ ବିଜାହାନ ପ୍ରକଳ୍ପରେ ୬୦୮.୬୪ ହେକ୍ଟର ଓ ଜାମକାନି ପ୍ରକଳ୍ପରେ ୨୧୨ ହେକ୍ଟର ଜଙ୍ଗଲ ଏହିପରି ମୋଟ ୩୧୦୦.୩୦୭ ହେକ୍ଟର ଜଙ୍ଗଲ ଖଣିଗର୍ଭରେ ଲୀନ ହୋଇଯିବ।
ଅଧିକ ପଢନ୍ତୁ ;ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର : ଖୋଲିଲା ୨୬ଟି ଗେଟ୍