ସମ୍ବଲପୁର: ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରରେ ନିର୍ଯ୍ୟାତନ ଘଟଣା। ସମ୍ବଲପୁର ନେତାଜୀନଗର ଠାରେ ଥିବା ସମର୍ଥ କେନ୍ଦ୍ରରେ ଅନ୍ତେବାସୀ ନିର୍ଯ୍ୟାତନ ଦିଆଉଥିବାର ଭିଡ଼ିଓ ଭାଇରାଲ ପରେ ପ୍ରଶାସନ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସମର୍ଥ କେନ୍ଦ୍ରର ସମ୍ପାଦକ ଓ ସହାୟିକାଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ସମର୍ଥ କେନ୍ଦ୍ର ପରିଚାଳନା କରୁଥିବା ଏନଜିଓକୁ କଳା ତାଲିକା ଭୁକ୍ତ କରିବା ପାଇଁ ସରକାରକୁ ସୁପାରିଶ କରାଯାଇଛି ।
ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଗତକାଲି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହାପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠନ ନିଆଯାଇଛି । ବର୍ତ୍ତମାନ ସମର୍ଥ କେନ୍ଦ୍ରରେ ଥିବା ୩୦ ଜଣ ଅନ୍ତେବାସୀଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଛି ।
ମହିଳା ଅନ୍ତେବାସୀଙ୍କୁ ସମର୍ଥ କେନ୍ଦ୍ରରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ ଟିମ ଗଠନ କରାଯାଇ ଏନେଇ ତଦନ୍ତ କରାଯାଉଛି । ପୂର୍ବରୁ ଆସୁଥିବା ଅନୁଦାନର ପରିଚାଳନାଗତ ଦିଗକୁ ମଧ୍ୟ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କେନ୍ଦ୍ର ପରିଚାଳନାର ତଦାରଖ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ନେଇ ମଧ୍ୟ ତଦନ୍ତ କରାଯିବ। ଏଥିସହ ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।