ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯାଉଛି । ୟଶସ୍ଵୀ ଜେସୱାଲଙ୍କ ଚମତ୍କାର ଦ୍ବୀଶତକ ଫଳରେ ଭାରତ ୫୦୦ ରୁ ଅଧିକ ରନରେ ଆଗୁଆ ରହିଛି । ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଜେସୱାଲ ୧୪ଟି ଚୌକ ଏବଂ ୧୨ଟି ଛକ୍କା ସାହାଯ୍ୟରେ ଦ୍ୱିଶତକ ହାସଲ କରିଛନ୍ତି । ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସର୍ବାଧିକ ଛକ୍କା ମାରିବା ରେକର୍ଡରେ ସାମିଲ ହୋଇଛନ୍ତି । ଗୋଟିଏ ଇନିଂସରେ ୧୨ଟି ଛକ୍କା ମାରି ବିଶ୍ୱ ରେକର୍ଡ ତାଲିକାରେ ୱାସିମ ଆକ୍ରମଙ୍କ ରେକର୍ଡ ସହିତ ସମାନ ହୋଇଛନ୍ତି।
ୟଶସ୍ଵୀ ଜେସୱାଲ ୨ୟ ଇନିଂସର ତୃତୀୟ ଦିନରେ ଶତକ ହାସଲ କରିଥିଲେ । ଏହା ପରେ ସାମାନ୍ୟ ଆହତ ଥିବା ହେତୁ ରିଟାୟାର୍ଡ଼ ହର୍ଟ ହୋଇ ପଡ଼ିଆରୁ ବାହାରିକୁ ଯାଇଥିଲେ । ଏହା ପରେ ଚତୁର୍ଥ ଦିନରେ ବ୍ୟାଟିଂ କରିବାକୁ ଆସି ଦ୍ବୀଶତକ ହାସଲ କରିବା ସହ ଅନେକ କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି । ଏହା ସହ ଭାରତ ପାଇଁ ଏକ ଟେଷ୍ଟ ସିରିଜରେ ୫୪୫ ରନ ସଂଗ୍ରହ କରିସାରିଲେଣି । ଭାରତ ପାଇଁ ଏକ ଟେଷ୍ଟ ସିରିଜରେ ସୁନୀଲ ଗାଭାସ୍କର ୭୭୪ ରନ ସଂଗ୍ରହ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆହୁରି ୨ଟି ଟେଷ୍ଟ ମ୍ୟାଚ ବାକି ଥିବାବେଳେ ୟଶସ୍ଵୀ ଏହି ରେକର୍ଡ ଭାଙ୍ଗିପାରିବେ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।
ଅଧିକ ପଢନ୍ତୁ : ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ