ଟି-୨୦ ଇଣ୍ଟରନ୍ୟାସନାଲରୁ ରୋହିତ, ବିରାଟ ଓ ଜାଡେଜା ଅବସର ଘୋଷଣା କରିବାରେ ଭାରତୀୟ ଦଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତେବେ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ କୋଚ୍ ରାହୁଲ ଦ୍ରାବିଡଙ୍କ ଅବଧି ମଧ୍ୟ ଶେଷ ହୋଇଥିଲା । ଏହା ପରେ ରାହୁଲଙ୍କ ସ୍ଥାନରେ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ ରୂପେ ଚୟନ କରିଛି । ଏବେ ଗମ୍ଭୀର ତିନି ଅଭିଜ୍ଞ ଖେଳାଳିଙ୍କ ସ୍ଥାନ ପୂରଣ କରିବା ପାଇଁ ବିକଳ୍ପ ଖୋଜୁଛନ୍ତି । ତେବେ ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିପାରେ ସୁଯୋଗ ।
ଜିମ୍ବାୱେ ବିପକ୍ଷ ଟି-୨୦ ରେ ଭାରତର ବିଜୟ ପରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ । ତେବେ ଏହି ସମୟରେ ଭାରତୀୟ ଦଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବିଶେଷ କରି ଭାରତୀୟ ଟି-୨୦ ଦଳରେ ଅନେକ ଖେଳାଳିଙ୍କ ଚୟନକୁ ନେଇ ଅନେକ ଆଲୋଚନା ହେଉଛି ।
ତେବେ ଶ୍ରୀଲଙ୍କା ଗସ୍ତରେ ଶ୍ରେୟସ୍ ଆୟରଙ୍କୁ ସ୍ଥାନ ମିଳିପାରେ । ଆୟରଙ୍କର ଟି-୨୦ କ୍ରିକେଟରେ ଅନେକ ଅଭିଜ୍ଞତା ରହିଛି ଏବଂ ଏବଂ ସେ ମଧ୍ୟମ କ୍ରମରେ ଖେଳୁଥିବାରୁ ଭାରତୀୟ ଦଳରେ ତାଙ୍କୁ ସୁଯୋଗ ମିଳିପାରେ । ଏହା ସହ ବିରାଟଙ୍କ ବଦଳରେ ଆୟର ଭଲ ବିକଳ୍ପ ବୋଲି ମଧ୍ୟ ଆଶା କରାଯାଉଛି । ତେବେ ସେ ଭାରତ ପାଇଁ ୩ ଡ଼ିସେମ୍ବର ୨୦୨୩ ରେ ଶେଷ ଟି-୨୦ ମ୍ୟାଚ ଖେଳିଥିଲେ ।
ଜିମ୍ବାୱେ ବିପକ୍ଷ ଟି-୨୦ ରେ ଏବଂ ପୂର୍ବରୁ ଖେଳାଯାଇଥିବା ଟି-୨୦ ପ୍ରଦର୍ଶନ ଦେଖି ୟଶସ୍ଵୀ ଜେସୱାଲ ଓପନିଂ କରିବା ସୁନିଶ୍ଚିତ ବୋଲି ଜଣାପଡୁଛି । କିନ୍ତୁ ତାଙ୍କ ସହ କିଏ ଓପନିଂ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ । କାରଣ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆଟକିଙ୍ଗ ଅନ୍ଦାଜରେ ବ୍ୟାଟିଂ କରିବା ସହ ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ ରେ ଶତକ ହାସଲ କରିଥିଲେ । ଅଭିଷେକଙ୍କ ସହ ଶୁଭମନ ଗିଲ ଓ ଋତୁରାଜ ଗାଇକୱାଡ ମଧ୍ୟ ଓପନିଂ ଦୌଡ଼ରେ ସାମିଲ ଅଛନ୍ତି । ତେବେ ଏହି ୩ ଖେଳାଳି ନିଜ ଦକ୍ଷତା ପ୍ରଦର୍ଶନ କରିଥିବାବେଳେ ଦଳ କାହାକୁ ରୋହିତଙ୍କ ବଦଳରେ ସୁଯୋଗ ଦେବା ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ଦଳ ଅଭିଷେକଙ୍କୁ ସୁଯୋଗ ଦେଉଛି ତେବେ ଭାରତ ପାଇଁ ଏକ ବୋଲିଂ ବିକଳ୍ପ ମଧ୍ୟ ଉପଲବ୍ଧ ରହିବ । ଅଭିଷେକ ବ୍ୟାଟିଂ ସହିତ ବୋଲିଂ କରୁଥିବାରୁ ଭାରତୀୟ ଚୟନ କମିଟି ଅଭିଷେକଙ୍କ ଉପରୁ ନଜର ହଟାଇବା କଷ୍ଟକର ହେବ ।
ତେବେ ଜାଡେଜାଙ୍କ ସ୍ଥାନରେ ଅକ୍ସର ପଟେଲ ଭାରତୀୟ ଦଳରେ ସୁଯୋଗ ପାଇବେ । କହିବାକୁ ଗଲେ ଅକ୍ସର ପୂର୍ବରୁ ହିଁ ଭାରତୀୟ ଦଳ ସହ ସାମିଲ ଅଛନ୍ତି । ଟି-୨୦ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ଉପସ୍ଥିତି ଓ ଦକ୍ଷତା ପ୍ରତିପାଦନ କରିଛନ୍ତି । ତେବେ ଅକ୍ସର ଭବିଷ୍ୟତରେ ଭାରତ ପାଇଁ ଜଣେ ଦକ୍ଷ ଅଲ-ରାଉଣ୍ଡର ହେବେ ବୋଲି ଆଶା କରାଯାଉଛି ।