ଅହମ୍ମଦାବାଦ: ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଖରାପ ପ୍ରଦର୍ଶନ କରିଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ୪୪.୧ ଓଭର୍ ଖେଳି ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୨ ରନ୍ କରିବାରେ ସକ୍ଷମ ହୋଇଛି ।
ଭାରତ ପକ୍ଷରୁ ମହମ୍ମଦ ସିରାଜ ୪, ଯଶପ୍ରୀତ ବୁମରାହ ୩, କୁଲଦ୍ୱୀପ ଯାଦବ ୨ ଏବଂ ୱାଶଂଟନ୍ ସୁନ୍ଦର ୧ ୱିକେଟ୍ ନେଇଛନ୍ତି । ସିରାଜ୍ ପୁଣି ଥରେ ତାଙ୍କ ହାତର ଯାଦୁ ଦେଖାଇଛନ୍ତି । ୧୪ ଓଭରରେ ମାତ୍ର ୪୦ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ । ସେହିପରି ବୁମରା ମଧ୍ୟ ୧୪ ଓଭରରେ ୪୨ ରନ୍ ଦେଇ ୩ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଭାରତୀୟ ଟିମର ଷ୍ଟାର୍ ବୋଲର୍ କୁଲଦ୍ୱୀପ ଯାଦବ ୨୦୨୪, ଅକ୍ଟୋବର ପରେ ପ୍ରଥମ ଥର ଟେଷ୍ଟ ସିରିଜ୍ ଖେଳୁଛନ୍ତି । ଏକ ଲମ୍ବା ସମୟ ବ୍ୟବଧାନ ପରେ ସେ ଟେଷ୍ଟକୁ ଫେରି କମାଲ କରିଛନ୍ତି । ସେ ମୋଟ ୬ ଓଭର୍ ୧ଟା ବଲରେ ୨୫ ରନ୍ ଦେଇଛନ୍ତି । ପ୍ରଥମ ଓଭରରେ ହୋପକୁ କ୍ଲିନ୍ ବୋଲ୍ଡ କରି ଷ୍ଟାମ୍ପ୍ ଉଡ଼ାଇ ଦେଇଥିଲେ । ଏହା ପରେ ଦ୍ୱିତୀୟରେ ଜୋମେଲ ୱାରିକନଙ୍କ ପାଭିଲିୟନ ପଠାଇ ଦଳ ପାଇଁ ୮ମ ୱିକେଟ୍ ନେଇଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଚୟନ ହୋଇଥିଲେ ମଧ୍ୟ ଖେଳିବାର ସୁଯୋଗ ମିଳିନଥିଲା ।