ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେସଲର ତଥା ହରିୟାଣାର ଜିନ୍ଦ ଜିଲ୍ଲାର ଜୁଲାନା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟ୍ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିକଳ୍ପ ଚୟନ କରିଛନ୍ତି। ତାଙ୍କୁ ସରକାରୀ ଚାକିରି, ଫ୍ଲାଟ୍ ଏବଂ ୪ କୋଟି ନଗଦ ପୁରସ୍କାର ରାଶି ମଧ୍ୟରୁ ଗୋଟିଏ ଗ୍ରହଣ କରିବାକୁ ଅଫର ଦିଆଯାଇଥିଲା। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଫୋଗାଟ୍ ଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ଓଜନ ୧୦୦ ଗ୍ରାମ ବଢିଯିବାରୁ ସେ ଫାଇନାଲ୍ ଖେଳିବାକୁ ଅଯୋଗ୍ୟ ବିବେଚିତ ହୋଇଥିଲେ।
ଖବର ଅନୁଯାୟୀ, ଫୋଗାଟ୍ ହରିୟାଣା ସରକାରଙ୍କ ୪ କୋଟି ଟଙ୍କାର ଅଫର ସ୍ଵୀକାର କରିଛନ୍ତି। ଫୋଗାଟ୍ ନିଜ ସହମତିର ପତ୍ର କ୍ରୀଡ଼ା ବିଭାଗକୁ ଦେଇଛନ୍ତି। ତାଙ୍କୁ ରାଶି ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନାଏବ ସୈନି ଫୋଗାଟଙ୍କୁ ରୌପ୍ୟ ପଦକ ପରି ସମ୍ମାନ ଦେବାକୁ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ସୈନୀଙ୍କ ଘୋଷଣା ପରେ କିଛି ନ ମିଳିବାରୁ ଫୋଗାଟ୍ ଏହା ଉପରେ ଆପତ୍ତି ଉଠାଇଥିଲେ। ସେ ବିଧାନସଭା ବଜେଟ୍ ଅଧିବେଶନ ସମୟରେ କହିଥିଲେ ଯେ, ସରକାର ତାଙ୍କୁ ରୌପ୍ୟ ପଦକର ବରାବର ସମ୍ମାନ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ୮ ମାସ ବିତିଗଲା କିଛି ମିଳିଲା ନାହିଁ।
ଫୋଗାଟ୍ କହିଥିଲେ, ପ୍ୟାରିସ୍ ଅଲିମ୍ପିକ୍ସରେ ପହଞ୍ଚିଲି ଏବଂ ଫାଇନାଲ୍ରେ ବି ପ୍ରବେଶ କଲି। ମାତ୍ର ପରେ ଯାହା ଘଟିଗଲା ତାହା ପରମାତ୍ମାଙ୍କ ଇଚ୍ଛା ଥିଲା ଏବଂ ମୁଁ ତାଙ୍କୁ ସ୍ଵୀକାର କରି ନେଲି। ସେହି ସମୟରେ ଆମର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଭିନେଶ ଆମର ଝିଅ ଓ ତାଙ୍କୁ ସିଲଭର ମେଡାଲ ବରାବର ସମ୍ମାନ ଦିଆଯିବ। ଆଜି ମୁଁ ଗୃହରେ ବସିଛି। ଆପଣ ମଧ୍ୟ ଗୃହରେ ବସିଛନ୍ତି। ଲୋକେ ଏହା ଜାଣିବା ଉଚିତ୍ ଯେ ସତ କଣ। ବାସ୍ତବରେ ଆପଣ ନିଜର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି।