ରାଜେଶ ମହାନ୍ତିଙ୍କୁ ୧୦ ଓ୍ଵିକେଟ୍, ଛତିଶଗଡ଼କୁ ଇନିଂସ ଓ ୩ ରନରେ ହରାଇଲା ଓଡ଼ିଶା
Khabar Odisha:sports--cricket--odisha-beat-chhatishgarh-innings-and-3-runs-in-ranji-trophy
ରାୟପୁର, ଡିସେମ୍ବର୧୧(ଖବର ଓଡ଼ିଶା):

ରାଜେଶ ମହାନ୍ତିଙ୍କ ଘାତକ ବୋଲିଂ ବଳରେ ଘରୋଇ ଛତିଶଗଡ଼କୁ ଓଡ଼ିଶା ଏକ ଇନିଂସ ଓ ୩ ରନରେ ପରାସ୍ତ କରିଛି। ଏହା ସହିତ ଚଳିତ ରଣଜୀ ସିଜିନରେ ଓଡ଼ିଶା ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ରାୟପୁର ସହିଦ ବୀର ନାରାୟଣ ସିଂହ ଆନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍ ସିର ଏହି ମ୍ୟାଚରେ ଛତିଶଗଡ଼ ଦ୍ଵିତୀୟ ଇନିଂସରେ ଓଡ଼ିଶା ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ୭୮ ରନରେ ଅଲଆଉଟ୍ ହେବା ସହ ଇନିଂସ ପରାଜୟ ଭୋଗିଛି। ଏଥିସହ ୩ ଦିନରେ ମ୍ୟାଚ୍ ଫଇସଲା ହୋଇ ଯାଇଛି। ୭ ପଏଣ୍ଟ ସହ ଏଲିଟ୍ ଗ୍ରୁପ୍‌-ସି ପଏଣ୍ଟ ତାଲିକାର ଶୀର୍ଷରେ ଓଡ଼ିଶା ରହିଛି।

ଛତିଶଗଡ଼ର ପ୍ରଥମ ଇନିଂସ ୧୩୪ ରନ ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୨୧୫ ରନ କରିବା ସହ ୮୧ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଦ୍ଵିତୀୟ ଇନିଂସରେ ଛତିଶଗଡ଼ ୭୮ ରନରେ ଅଲଆଉଟ୍ ହୋଇ ଇନିଂସ ପରାଜୟ ଭୋଗିଛି। ପ୍ରଥମ ଇନିଂସରେ ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୬ଟି ଓ ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟ୍ ନେଇ ଓଡ଼ିଶା ବିଜୟରେ ପ୍ରମୁଖ ବିନ୍ଧାଣି ସାଜିଛନ୍ତି। ମ୍ୟାଚରେ ୧୦ ଓ୍ଵିକେଟ୍ ନେଇଥିବା ରାଜେଶ ମହାନ୍ତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତାଙ୍କ ବ୍ୟତୀତ ସୂର୍ଯ୍ୟକାନ୍ତ ପ୍ରଧାନ ଓ ବସନ୍ତ ମହାନ୍ତି ଉଭୟଙ୍କୁ ମ୍ୟାଚରେ ୫ ସଫଳତା ମିଳିଛି।

ଛତିଶଗଡ଼ ୪୫/୧ରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ହେଲେ ୪୯ ରନ ସ୍କୋରରେ ବସନ୍ତ ମହାନ୍ତି ଜୀବନଜୋତ ସିଂହ(୧୨) ଆଉଟ୍ କରି ଓଡ଼ିଶାକୁ ଦ୍ଵିତୀୟ ସଫଳତା ଦେଇଥିଲେ। ୭୧ ରନରେ ଛତିଶଗଡ଼ ହରପ୍ରୀତ ସିଂହ(୧୧)ଙ୍କ ରୂପେ ତୃତୀୟ ଓ୍ଵିକେଟ୍ ନେଇଥିଲା। ଏହା ପରଠୁ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଏକଦା ୩ ଓ୍ଵିକେଟ୍ ହରାଇ ୭୧ ରନ କରିଥିବା ଛତିଶଗଡ଼ ଦଳୀୟ ସ୍କୋରରେ ମାତ୍ର ୭ ରନ ଯୋଡ଼ି ୭୮ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଆଶୁତୋଷ ସିଂହଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ବସନ୍ତ ମହାନ୍ତିଙ୍କ ଶାଣିତ ବୋଲିଂର ସାମ୍ନା କରିପାରିନଥିଲେ। ଏପରିକି ଦ୍ଵିତୀୟ ଇନିଂସରେ ଘରୋଇ ଦଳର ୫ ଜଣ ବ୍ୟାଟସମ୍ୟାନ ଖାତା ମଧ୍ୟ ଖୋଲି ପାରିନଥିଲେ। ଆଶୁତୋଷ ସିଂହ ସର୍ବାଧିକ ୪୩ ରନ କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ୭୮ ରନରେ ଅଲଆଉଟ୍ ହୋଇ ଛତିଶଗଡ଼ ଓଡ଼ିଶା ହାତରୁ ଇନିଂସ ପରାଜୟ ଭୋଗିଛି। 

ଏହା ପୂର୍ବରୁ ପ୍ରଥମ ଇନିଂସରେ ଓଡ଼ିଶା ଓ୍ଵିକେଟ୍ ରକ୍ଷକ ବ୍ୟାଟସମ୍ୟାନ ସୁଜିତ ଲେଙ୍କାଙ୍କ ୫୬ ରନ, ସୂର୍ୟ୍ୟ୍କାନ୍ତ ପ୍ରଧାନଙ୍କ ୩୩ ରନ, ଓ ବିପ୍ଳବ ସାମନ୍ତରାୟଙ୍କ ୩୦ ରନ ବଳରେ ୨୧୫ ରନ କରି ଛତିଶଗଡ଼ଠୁ ୮୧ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଇନିଂସରେ ଓଡ଼ିଶା ପକ୍ଷରୁ ବୋଲର ରାଜେଶ ମହାନ୍ତି ୪୭ ରନରେ ୬ ଓ୍ଵିକେଟ୍ ନେଇ ଛତିଶଗଡ଼ର ପ୍ରଥମ ଇନିଂସକୁ ୧୩୪ ରନରେ ସୀମିତ ରଖିଥିଲେ। ସେହି ଭଳି ଦ୍ଵିତୀୟ ଇନିଂସରେ ସେ ୧୯ ରନ ଦେଇ ୪ ସଫଳତା ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ସୂର୍ୟ୍ୟ୍କାନ୍ତ ପ୍ରଧାନ ୪ ଓ ବସନ୍ତ ମହାନ୍ତି ୨ଟି ଓ୍ଵିକେଟ୍ ନେଇଛନ୍ତି।

  • Tags:

Subscribe

National International State Sports Entertainment