ବିସିସିଆଇ ଏଜିଏମର ବଡ଼ ନିଷ୍ପତ୍ତି- ନଅ ମାସ ନୁହଁ, ୨୦୨୪ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହି ପାରନ୍ତି ସୌରଭ ଗାଙ୍ଗୁଲି
Khabar Odisha:sports--cricket--odisha-bcci-decides-to-dilute-justice-lodha-reform-on-tenure-at-agm-term-may-be-extended-of-sourav-ganguly
ମୁମ୍ବାଇ, ଡିସେମ୍ବର୦୧(ଖବର ଓଡ଼ିଶା):

ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ବିସିସିଆଇ ରବିବାର ନିଜର ପଦାଧିକାରୀଙ୍କ କାର୍ଯ୍ୟକାଳକୁ ସୀମିତ କରିବାକୁ ସୁପ୍ରିମକୋର୍ଟ ଦ୍ଵାରା ସ୍ଵୀକୃତ ପ୍ରଶାସନିକ ସୁଧାରରେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ପରି ବିସିସିଆଇ ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲିଙ୍କ ନଅ ମାସର କାର୍ଯ୍ୟକାଳର ଅବଧିକୁ ଆହୁରି ବଢ଼ାଇବା ପଥ ପରିଷ୍କାର କରିଛି। ବିସିସିଆଇ ଏଠାରେ ଆୟୋଜିତ ୮୮ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ)ରେ ଏହି ନିଷ୍ପତ୍ତି ନେଇଛି। 

ବୋର୍ଡ ବୈଠକରେ ସୁପ୍ରିକୋର୍ଟ ଦ୍ଵାରା ଅନିବାର୍ଯ୍ୟ ପ୍ରଶାସନିକ ସୁଧାରରେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ମାତ୍ର ଏହାକୁ ଲାଗୁ କରିବାକୁ ଉଚ୍ଚତମ ନ୍ୟାୟାଳୟଙ୍କ ସ୍ଵୀକୃତି ଜରୁରୀ। ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅନୁଯାୟୀ ସମସ୍ତ ପ୍ରସ୍ତାବକୁ ବୈଠକରେ ସ୍ଵୀକୃତି ମିଳି ଯାଇଛି ଏବଂ ଏବେ ଏହାକୁ ସୁପ୍ରିମକୋର୍ଟ ପାଖକୁ ପଠାଯିବ। ଯଦି ସ୍ଵୀକୃତି ମିଳିଯାଏ ତେବେ ଗାଙ୍ଗୁଲି ନଅ ମାସ ନୁହେଁ ୨୦୨୪ ପର୍ଯ୍ୟନ୍ତ ବୋର୍ଡ଼ର ଅଧ୍ୟକ୍ଷ ପଦରେ ରହି ପାରିବେ।

ଏମିତି ରହିଛି ବର୍ତ୍ତମାନର ନିୟମ

ସଂପ୍ରତି ସମ୍ବିଧାନ ଅନୁସାରେ ଯଦି କୌଣସି ପଦାଧିକାରୀ ବିସିସିଆଇ କିମ୍ବା ରାଜ୍ୟ କ୍ରିକେଟ୍ ସଂଘକୁ ମିଶାଇ ମୋଟ୍ ଛଅ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି ତେବେ, ତାଙ୍କୁ ତିନି ବର୍ଷର ବାଧ୍ୟତାମୂଳକ ବ୍ରେକ ନେବାକୁ ପଡ଼ିବ। ଗାଙ୍ଗୁଲି ଅକ୍ଟୋବର ୨୩ରେ ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି। ମାତ୍ର ଏଜିଏମ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ପ୍ରସ୍ତାବକୁ ଯଦି ସୁପ୍ରିମକୋର୍ଟ ସ୍ଵୀକୃତି ଦେଇ ଦିଅନ୍ତି ତେବେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। 

ବଦଳିଥିଲା ଭାରତୀୟ ଦଳର ଛବି

କ୍ରିକେଟ୍ ପ୍ରଶଂସକଙ୍କ ଗହଣରେ ଦାଦା ଭାବେ ପରିଚିତ ସୌରଭ ଗାଙ୍ଗୁଲିଙ୍କ ଛବି ଜଣେ ଘାତକ ବ୍ୟାଟସମ୍ୟାନ ଭାବେ ରହିଛି। ଯେବେ ସେ ବ୍ୟାଟିଂ କରୁଥିଲେ, ତାଙ୍କର ଦର୍ଶନୀୟ ଛକା ଦେଖିବାକୁ ପ୍ରଶଂସକ ଚାହିଁ ରହୁଥିଲେ। ଅଫ ସାଇଡ଼ର ଭଗବାନ କୁହାଯାଉଥିବା ଗାଙ୍ଗୁଲିଙ୍କୁ ୨୦୦୦ରେ ଭାରତୀୟ ଦଳର ନେତୃତ୍ଵ ମିଳିଥିଲା। ସେହି ସମୟରେ ଭାରତୀୟ କ୍ରିକେଟ୍ ଦଳର ଛବି ମ୍ୟାଚ୍ ଫିକ୍ସିଂ କାରଣରୁ ମଳିନ ପଡ଼ିଥିଲା। ସେହି ଘଡ଼ିସନ୍ଧି ସମୟରେ ଗାଙ୍ଗୁଲି ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ ଏବେଂ ଦୁନିଆରେ ନିଜକୁ ଜଣେ ମହାନ ନେତୃତ୍ଵକାରୀର ପରିଚୟ ଦେଇଥିଲେ। ବିଶ୍ଵ କପ-୨୦୦୩ରେ ଦାଦାଙ୍କ ନେତୃତ୍ଵରେ ଭାରତ  ଫାଇନାଲରେ ପ୍ରବେଶ କରିଥିଲା। ଯାହା ଭାରତୀୟ କ୍ରିକେଟକୁ ବହୁ ଉଚ୍ଚକୁ ନେଇ ଯାଇଥିଲା।

Subscribe

National International State Sports Entertainment