ପୂର୍ବତନ ଭାରତୀୟ ଅଧିନାୟକ ତଥା ଭେଟେରାନ ସ୍ପିନର ବିଶନ ସିଂ ବେଦୀଙ୍କ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବେଦୀ, ୨୫ ସେପ୍ଟେମ୍ବର ୧୯୪୬ ରେ ଜନ୍ମ ହୋଇଥିଲେ, ସେ ଜଣେ ବାମହାତୀ ସ୍ପିନର ଥିଲେ । ସେ ବି.ଏସ୍ ଚନ୍ଦ୍ରଶେଖର, ଏରାପଲ୍ଲୀ ପ୍ରସନ୍ନ ଏବଂ ଶ୍ରୀନିବାସ ଭେଙ୍କଟାରାଗବାନଙ୍କ ସହିତ ପ୍ରସିଦ୍ଧ ଭାରତୀୟ ସ୍ପିନ୍ ତାଲିକାର ଅଂଶ ଥିଲେ । ବେଦୀ ୧୯୬୬ ମସିହାରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ତତ୍କାଳୀନ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ଡେବ୍ୟୁ କରିଥିଲେ। ସେ ଉତ୍ତର ପଞ୍ଜାବ ଏବଂ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍ ଖେଳିଛନ୍ତି।
୧୯୬୯-୭୦ ମସିହାରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ସମୟରେ ପ୍ରଥମ ଥର ପାଇଁ ବେଦୀଙ୍କ ଚମତ୍କାର ବୋଲିଂ ଦେଖିଥିଲା ପୁରା ବିଶ୍ୱ । ସେ ଏହି ସିରିଜରେ ୨୧ ଟି ୱିକେଟ୍ ନେଇଥିଲେ, ଯେଉଁଥିରୁ କୋଲକାତାରେ ୭/୯୮ ର ଶ୍ରେଷ୍ଠ ଟେଷ୍ଟ୍ ଫିଗର୍ ଅନ୍ତର୍ଭୁକ୍ତ ଥିଲା । ୧୯୭୨–୭୩ ମସିହାରେ ଇଂଲଣ୍ଡ ବିପକ୍ଷ ପାଞ୍ଚଟି ଟେଷ୍ଟ ମ୍ୟାଚରେ ବେଦୀ ହାରାହାରି ୨୫.୨୮ ୱିକେଟ୍ ନେଇଥିଲେ। ଏହି ସମୟରେ ଭାରତ ସ୍ପିନ ବୋଲିଂ ସହ ଘରୋଇ ପରିସ୍ଥିତିରେ ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଥିଲା ।
ମାନସ ଅଲ୍ଲୀ ଖାନ ପଟାଉଦିନଙ୍କ ପରେ ୧୯୭୬ ରେ ସେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭୂମିକାରେ ପଡିଆକୁ ଓହ୍ଲାଇଥିଲେ । ତାଙ୍କ ପ୍ରତିନିଧିତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ପୋର୍ଟ ଅଫ ସ୍ପେନରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚତୁର୍ଥ ଇନିଂସରେ ୪୦୬ ରନ୍ ସ୍କୋର କରି ଜିତିଥିଲା। ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ବିଜୟ ହୋଇଥିଲା। କିନ୍ତୁ ପରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ପାକିସ୍ଥାନ ଭଳି ଦଳ ବିପକ୍ଷରେ କ୍ରମାଗତ ପରାଜୟ ପରେ ସୁନୀଲ ଗାଭାସ୍କରଙ୍କୁ ତାଙ୍କ ସ୍ଥାନରେ ଅଧିନାୟକ କରାଯାଇଥିଲା। ସେ ୨୨ ଟି ଟେଷ୍ଟରେ ଭାରତର ଅଧିନାୟକ ଥିଲେ।
ଅଧିକ ପଢନ୍ତୁ : ଟି୨୦ ଇତିହାସରେ ବିଶ୍ୱରେକର୍ଡ, ଇତିହାସ ସୃଷ୍ଟି କଲା ଆର୍ଜେଣ୍ଟିନା ମହିଳା ଦଳ