ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଏକ ବ୍ୟବସାୟିକ ଠକେଇ ମାମଲାରେ ହାଇକୋର୍ଟରୁ ନୋଟିସ୍ ମିଳିଛି । ଏଥିରେ ନିଜ ପକ୍ଷର ରଖିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଆରକା ସ୍ପୋର୍ଟସ୍ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରା.ଲି.ର ଦୁଇ ନିର୍ଦ୍ଦେଶକ ବ୍ୟବସାୟୀ ମିହିର ଦିୱାକର ଓବଂ ସୌମ୍ୟ ଦାସ ଧୋନିଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଧୋନି ତାଙ୍କର ପକ୍ଷ ରଖିବାକୁ ହାଇକୋର୍ଟ କହିଛନ୍ତି ।
ମାମଲାର ଆରମ୍ଭ ପ୍ରଥମେ ଧୋନି କରିଥିଲେ । ଆରକା ସ୍ପୋର୍ଟସ୍ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରା.ଲି.ର ଦୁଇ ନିର୍ଦ୍ଦେଶକ ଏବଂ ଧୋନିଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଧୋନିଙ୍କ ନାମରେ ଉକ୍ତ କମ୍ପାନୀ କ୍ରିକେଟ୍ ଏକାଡେମୀ ଆରମ୍ଭ କରିବାକୁ ନେଇ ଚୁକ୍ତି ହୋଇଥିଲା । କିନ୍ତୁ ଚୁକ୍ତି ଶେଷ ହେବା ପରେ ମଧ୍ୟ କ୍ରିକେଟ୍ ଏକାଡେମୀ ଖୋଲା ଯାଇଥିଲା । ଯାହାକୁ ନେଇ ଠକେଇ ଅଭିଯୋଗ ଆଣିଥିଲେ ଧୋନୀ ।
ପୂର୍ବରୁ ଜାନୁୟାରୀ ୫ ତାରିଖରେ ରାଞ୍ଚିରେ ଏମଏସ୍ ଧୋନି ମିହିର ଦିୱାକର ଏବଂ ସୌମ୍ୟ ଦାସଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ କରିଥିଲେ । ୨୦୨୧ ମସିହାରେ ଚୁକ୍ତି ଶେଷ ହେବା ପରେ ମଧ୍ୟ ଏହି ଦୁଇ ବ୍ୟକ୍ତି ତାଙ୍କ ନାମର କ୍ରିକେଟ୍ ଏକାଡେମୀ ଖୋଲୁଛନ୍ତି । ଧୋନୀ ଉଭୟଙ୍କ ବିରୋଧରେ ୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲେ । ମାତ୍ର ମିହିର ଓ ସୌମ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।