ଖବର ଓଡ଼ିଶା: ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ ପଦକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କିଏ ହେବେ ପରବର୍ତ୍ତୀ ଅଧିନାୟକ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଏ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି । ବିସିସିଆଇ ସଚିବ ଜୟ ଶାହା ଏବଂ ନୂତନ ମୁଖ୍ୟ ପ୍ରଶିକ୍ଷକ ଗୋତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି ।
ପ୍ରଥମେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଟି-୨୦ର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସୂର୍ଯ୍ୟ କୁମାର ଯାଦବ ଏହି ପଦ ପାଇଁ ଅଧିକ ଯୋଗ୍ୟ ବୋଲି ଆଲୋଚନା ହେଉଛି । ଯାହାକୁ ନେଇ ବିସିସିଆଇ ସଚିବ ଜୟ ଶାହା ଏବଂ ଗୋତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ସୂର୍ଯ୍ୟ କୁମାର ଯାଦବ ପରିବର୍ତ୍ତେ ଟି-୨୦ ର ଉପ-ଅଧିନାୟକ ପାଣ୍ଡ୍ୟା ଅଧିନାୟକ ପଦ ସମ୍ଭାଳନ୍ତୁ ବୋଲି ଜୟ ଶାହା ଚାହୁଁଛନ୍ତି । କିନ୍ତୁ ଗମ୍ଭୀର ଏଥିରେ ସହମତି ପ୍ରକାଶ କରୁ ନ ଥିବା ଜାତୀୟ ଗଣମାଧ୍ୟମରୁ ଜଣା ପଡ଼ିଛି । ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ହୁଅନ୍ତୁ ବୋଲି ଗମ୍ଭୀର ଚାହୁଁଛନ୍ତି ।
ରିପୋର୍ଟ ମୁତାବକ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଓ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । କିନ୍ତୁ ଏହା ପୂର୍ବରୁ ଚୟନ ଦଳ ବୈଠକ ସ୍ଥଗିତ ରହିଛି ।