ଭାରତୀୟ ଦଳ ବୁଧବାର ବାର୍ବାଡୋସ ଛାଡି ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଗୁରୁବାର ସକାଳ ୬ ଟାରେ ନୂଆଦିଲ୍ଲୀରେ ଅବତରଣ କରିବ। ସାଇକ୍ଲୋଥନ୍ ବେରିଲ୍ କାରଣରୁ ଭାରତୀୟ ଦଳ ଗତ ତିନି ଦିନ ଧରି ବାର୍ବାଡୋସରେ ଫସି ରହିଥିଲେ। ବାତ୍ୟା ଯୋଗୁଁ ବିମାନ ବନ୍ଦର ବନ୍ଦ ରହିଥିଲା କିନ୍ତୁ ବୁଧବାର ଏହାକୁ ଖୋଲାଯାଇଥିଲା। ବୁଧବାର ସକାଳ ୯ ଟାରେ ଭାରତୀୟ ଦଳ ବ୍ରିଜଟାଉନରୁ ବାହାରିସାରିଥିବା ସୂଚନା ମିଳିଛି। ଏହି ବିମାନଟି ଗୁରୁବାର ସକାଳ ୬ ଟାରେ ନୂଆଦିଲ୍ଲୀରେ ଅବତରଣ କରିବ।
ତେବେ ଭାରତୀୟ ଦଳକୁ ସ୍ୱାଗତ କରିବା ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଭାରତୀୟ ଦଳ ପ୍ରଥମେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏବଂ ପରେ ମୁମ୍ବାଇ ଯିବେ ବୋଲି ଆଶା କରାଯାଉଛି। ମୁମ୍ବାଇରେ ଭାରତୀୟ ଦଳ ଟ୍ରଫି ସହିତ ଏକ ଖୋଲା ବସ୍ ପ୍ୟାରେଡ୍ ଆୟୋଜନ କରିବ, ଯେଉଁଠାରେ ଭାରତୀୟ ଫ୍ୟାନ୍ସ ସହ ଟାଇଟଲ୍ ଜିତିବା ଉତ୍ସବ ପାଳନ କରାଯିବ । ଏହା ବ୍ୟତୀତ ଜାମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗ ମଧ୍ୟ ଭାରତୀୟ ଦଳକୁ ନିମନ୍ତ୍ରଣ ପଠାଇଛି। ଦୀର୍ଘ ଦିନ ପରେ ଭାରତ ବିଶ୍ୱକପ ଜିତିଛି ଏବଂ ଜୋରଦାର ଭାବେ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି ।
ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୧ ବର୍ଷ ପରେ ଆଇସିସି ଟାଇଟଲ ଜିତିବାରେ ସଫଳ ହୋଇଛି । ୧୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିଛି । ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୧୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ଜିତିଛି ।
ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିୟନ ହେବା ପରେ ତିନିଜଣ ଭେଟେରାନ ଖେଳାଳି ଟି -୨୦ ଆନ୍ତର୍ଜାତୀୟ ଫର୍ମାଟକୁ ବିଦାୟ ଦେଇଛନ୍ତି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଟାଇଟଲ ସହ ବିଦାୟ ନେଇଛନ୍ତି।
ଅଧିକ ପଢନ୍ତୁ : ବାରବାଡୋସରେ ବାତ୍ୟାର ଉଗ୍ରରୂପ: ଘଣ୍ଟା ପିଛା ପବନର ବେଗ ୨୫୭କିମ, ହୋଟେଲ ଭିତରେ ଭାରତୀୟ ଖେଳାଳି