ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ(ଆଇଓଏ) ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଆୟୋଜନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି)କୁ ଚିଠି ଲେଖିଛି। ଅଲିମ୍ପିକ୍ସ ଆୟୋଜନ ଦିଗରେ ଭାରତର ଏହା ପ୍ରଥମ ବଡ଼ ପଦକ୍ଷେପ। ଅକ୍ଟୋବର ୧ ତାରିଖରେ ଏହି ଚିଠି ଆଇଓସି ଦିଆଯାଇଥିବା ଜଣା ପଡ଼ିଛି।
ଏହା ଜରିଆରେ ଭାରତ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଆୟୋଜନ ପାଇଁ ଆଗ୍ରହୀ ଥିବା ଜଣାଇ ଦେଇଛି। ଭାରତ ସମେତ ୭ ଦେଶ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏଥିରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀଏ, ଭାରତ,ପୋଲାଣ୍ଡ, ଇଜିପ୍ଟ ଓ ଦକ୍ଷିଣ ଆଫ୍ରିକା ସାମିଲ। ୨୦୨୨ ନଭେମ୍ବରରେ ଆଇଓସି ଭାରତ ସହିତ ଏହି ଦେଶଗୁଡ଼ିକ ସହ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଲୋଚନା କରିଥିଲା। ଭାରତ ଅହମ୍ମଦାବାଦ ସହରରେ ଅଲିମ୍ପିକ୍ସର ସମସ୍ତ କ୍ରୀଡ଼ା ଆୟୋଜନ କରିବ ବୋଲି ଆଇଓସିକୁ ଜଣାଇଛି।
ତେବେ ଭାରତକୁ ଆୟୋଜନ ଦୌଡ଼ରେ ସାଉଦି ଆରବ, କାତାର ଓ ତୁର୍କୀଏ ପରି ଦେଶଗୁଡ଼ିକ ପକ୍ଷରୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। ତେବେ ଭାରତର ଆୟୋଜନ ଦାବିକୁ ଆଇଓସିର ବର୍ତ୍ତମାନ ପ୍ରମୁଖ ଥିବା ଥମାସ ବାକ ସମର୍ଥନ ଜଣାଇଛନ୍ତି। ଭାରତ ଏହା ପୂର୍ବରୁ ୨୦୨୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା। ଏହାର ଆୟୋଜନ ରାଜଧାନୀ ଦିଲ୍ଲୀରେ ହୋଇଥିବା ବେଳେ ୨୦୩୬ ପାଇଁ ଅହମ୍ମଦାବାଦକୁ ପ୍ରସ୍ତୁତ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଭାରତ ୨୦୩୬ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା କହିଥିଲେ। ଏହା ପୂର୍ବରୁ ଗତ ବର୍ଷ ମୁମ୍ବାଇରେ ଆଇଓସିର ୧୪୧ ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୩୬ ଅଲିମ୍ପିକ୍ସର ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ, ୧୪୦ କୋଟି ଭାରତୀୟ ଏହି କ୍ରୀଡ଼ା ଆୟୋଜନ କରିବାକୁ ଉତ୍ସୁକ।