ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକରେ ଭାରତର ବିଜୟ ଯାତ୍ରା ଜାରି ରହିଛି । ବୁଧବାର ଭାରତକୁ ୨୧ତମ ପଦକ ମିଳିଛି । ସଟ୍ ପୁଟ୍ ରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ସଚିନ ସରଜେରାଓ ଖିଲାରୀ । ଏଫ୍୪୬ ବର୍ଗରେ ସଟ୍ ପୁଟ୍ ଫିଙ୍ଗି ସେ ଏହି ମେଡ଼ାଲର ଅଧିକାରୀ ହୋଇଛନ୍ତି ।
ପ୍ୟାରିସ ପାରା ଅଲିମ୍ପିକ୍ସ ଆଜି ସପ୍ତମ ଦିନରେ ପହଁଚିଛି । ସଚିନଙ୍କ ଦମଦାର ପ୍ରଦର୍ଶନରୁ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି । ଏସ୍ ଏସ୍ ଖିଲାରୀ ଏଫ୍୪୬ ବର୍ଗରେ ୧୬.୩୨ ମିଟର ଯାଏ ସଟ୍ ପୁଟ୍ ଫିଙ୍ଗି ଦେଶକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି । ସେ ପ୍ରଥମ ପ୍ରୟାସରେ ୧୪.୭୨ ମିଟର ଫିଙ୍ଗିଥିଲେ । ଦ୍ୱିତୀୟ ପ୍ରୟାସରେ ୧୬.୩୨, ୩ୟରେ ୧୬.୧୫, ୪ର୍ଥରେ ୧୬.୩୧, ୫ମରେ ୧୬.୦୩ ଏବଂ ୬ଷ୍ଠ ତଥା ଶେଷ ପ୍ରୟାସରେ ୧୫.୯୫ ମିଟର ସ୍କୋର କରିଥିଲେ । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଥିଲା ୧୬.୩୨ ମିଟର । କାନ୍ନାଡାର ଗ୍ରେଗ୍ ୧୬.୩୮ ମିଟର ସ୍କୋର କରି ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି । ଏହି ପଦକ ସହିତ ଭାରତ ପଦକ ତାଲିକାରେ ୧୯ତମ ସ୍ଥାନରେ ରହିଛି ।
ତେବେ ଚଳିତ ଅଲିମ୍ପିକ୍ସ ଭାରତ ନିଜର ରେକର୍ଡକୁ ଭାଙ୍ଗି ଦେଇଛି । ଏ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୧ ପଦକ ଜିତି ସାରିଛନ୍ତି । ଏଥିରେ ୩ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୦ କାଂସ୍ୟ ପଦକ ରହିଛି । ଏହା ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ୧୯ ପଦକ ଜିତିଥିଲା ।