ଚଳିତ ଆଇପିଏଲ ବର୍ଷର ୧୨ ତମ ମ୍ୟାଚରେ ୭ ୱିକେଟ୍ ରେ ବାଜି ମାରିଛି ଗୁଜୁରାଟ ଟାଇଟନ୍ସ । ୧୬୨ ରନର ଲକ୍ଷ୳କୁ ପିଛା କରି ଏକ ସହଜ ବିଜୟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ଦଳୀୟ ଦ୍ଵିତୀୟ ବିଜୟ ସହ ଗୁଜୁରାଟ ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ ଖେଳିଥିବାବେଳେ ୨ ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହା ସହ ଗତ ସନ୍ଧ୍ୟାରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବ୍ୟକ୍ତିଗତ ୩ଟି ୱିକେଟ୍ ନେବା ସହ ମୋହିତ ଶର୍ମା ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା । କିନ୍ତୁ ହାଇଦ୍ରାବାଦ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଅତିକମରେ ୩୦ ରନ କରିବାରେ ଅସଫଳ ହୋଇଥିଲେ । ମୟଙ୍କ ଅଗ୍ରୱାଲ ୧୬, ଟ୍ରାଭିସ ହେଡ଼ ୧୯, ଅଭିଷେକ ଶର୍ମା ୨୯, ମାର୍କରମ ୧୭, କ୍ଲାସେନ ୨୪, ସେହବାଜ ଏହମଦ ୨୨, ଅବଦୁଲ ସମାଦ ୨୯ ଓ ପ୍ୟାଟ କମିନ୍ସ ୨ ରନ କରିଥିଲାବେଳେ ୱାସିଂଟନ ସୁନ୍ଦର ଖାତା ଖୋଲିବାରେ ଅସଫଳ ରହିଥିଲେ । ଗୁଜୁରାଟ ପକ୍ଷରୁ କଡା ବୋଲିଂର ପ୍ରଦର୍ଶନ କରାଯାଇଥଲାବେଳେ ଆଜମତୁଲ୍ଲାହ ଓମରଜାଈ, ଉମେଶ ଯାଦବ, ରାଶିଦ ଖାନ ଓ ନୁର ଏହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ମ୍ୟାଚରେ ଶ୍ରେଷ୍ଠ ବୋଲିଂର ପ୍ରଦର୍ଶନ କରିଥିଲେ ମୋହିତ ଶର୍ମା । ୪ ଓଭର ବୋଲିଂ କରି ୨୫ ରନ ଦେବା ସହ ୩ଟି ୱିକେଟ୍ ହାସଲ କରିଥିଲେ । ଅନ୍ୟପକ୍ଷରେ ଗୁଜୁରାଟର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରିଦ୍ଧିମାନ ସହ ୨୫, ଶୁଭମନ ଗିଲ ୩୬, ସାଇ ସୁଦର୍ଶନ ୪୫, ଡେଭିଡ ମିଲର ୪୪ ଓ ବିଜୟ ଶଙ୍କର ୧୪ ରନ ସଂଗ୍ରହ କରିଥିଲେ । ହାଇଦ୍ରାବାଦର ବୋଲିଂରେ ସେହବାଜ ଏହମଦ, ମୟଙ୍କ ମାର୍କଣ୍ଡେ ଏବଂ ପ୍ୟାଟ କମିନ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଆଜି ଲକ୍ଷ୍ନୌ ବନାମ ପଞ୍ଜାବ