ମୁମ୍ବାଇ: ପୁଣି ଜଣେ ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ବୈବାହିକ ଜୀବନକୁ ନେଇ ଆସିଛି ବଡ଼ ଖବର । ପୂର୍ବତନ କ୍ରିକେଟର୍ ବିରେନ୍ଦ୍ର ସେହୱାଗଙ୍କ ବିବାହ ସମ୍ପର୍କରେ ଝଡ଼ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଇଛି । ବିରେନ୍ଦ୍ର ଏବଂ ସ୍ତ୍ରୀ ଆରତୀ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଉଭୟ ପରସ୍ପରକୁ ସୋସିଆଲ୍ ମିଡ଼ିଆରେ ଅନଫଲୋ କରିଥିବା ଜଣାପଡ଼ିଛି ।
ଏହି ଷ୍ଟାର୍ ଦମ୍ପତି ଅନେକ ଦିନ ହେବ ଅଲଗା ରହୁଥିବା ଖବର ଆସିଛି । ସେହୱାଗ୍ ଅନେକ ଦିନ ହେବ ନିଜ ପତ୍ନୀଙ୍କ ସହିତ କୌଣସି ଫଟୋ ମଧ୍ୟ ପୋଷ୍ଟ କରି ନାହାଁନ୍ତି । ଯାହାକି ତାଙ୍କ ସମ୍ପର୍କରେ ଫାଟ ଥିବା ସନ୍ଦେହକୁ ଦୃଢ଼ୀଭୂତ କରିଛି ।
ବିରେନ୍ଦ୍ର ସେହୱାଗ୍ ତାଙ୍କ କ୍ରିକେଟ୍ କ୍ୟାରିଅରରେ ୧୦୪ଟି ଟେଷ୍ଟ ଏବଂ ୨୫୧ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୨୦୦୪ ମସିହାରେ ବୀରେନ୍ଦ୍ର ସେହୱାଗ୍ ଏବଂ ଆରତୀ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆର୍ୟ୍ୟବୀର ଏବଂ ବେଦାନ୍ତ ନାମରେ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଆର୍ୟ୍ୟବୀର ୨୦୦୭ରେ ଜନ୍ମ ହୋଇଥିବାବେଳେ ୨୦୧୦ରେ ଦମ୍ପତି ବେଦାନ୍ତକୁ ଜନ୍ମ ଦେଇଥିଲେ । ଉଭୟଙ୍କର ୨୦ ବର୍ଷର ଦାମ୍ପତ୍ୟ ଜୀବନ । ତେବେ ବିବାହ ବିଚ୍ଛେଦକୁ ନେଇ ସେହୱାଗ୍ କିମ୍ବା ପତ୍ନୀ ଆରତୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ପୂର୍ବରୁ ଅନେକ ଭାରତୀୟ କ୍ରିକେଟ୍ ତାରକାଙ୍କ ଜୀବନରେ ଝଡ଼ ଆସି ସାରିଛି । ଶିଖର ଧାୱନ୍, ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜ ପତ୍ନୀଙ୍କଠାରୁ ଅଲଗା ହୋଇ ସାରିଛନ୍ତି । ନିକଟରେ ୟୁଜୁବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ଗଣମାଧ୍ୟମରେ ଖବର ଆସିଥିଲା । ଆଉ ଏହି କ୍ରମରେ ସେହୱାଗଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି ।