ଟି-୨୦ ବିଶ୍ୱକପ ୨୦୨୪ ର ୩୫ ତମ ମ୍ୟାଚରେ ଅଷ୍ଟ୍ରେଲିଆ ସ୍କଟଲ୍ୟାଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଏହି ବିଜୟ ସହିତ ଇଂଲଣ୍ଡ ସୁପର-୮ ରେ ପ୍ରବେଶ କରିଛି । ଅନ୍ୟପଟେ ସ୍କଟଲାଣ୍ଡର ଟି-୨୦ ଯାତ୍ରା ଶେଷ ହୋଇଛି। ପୂର୍ବରୁ ଗ୍ରୁପ୍-ବି ରୁ ଅଷ୍ଟ୍ରେଲିଆ ସୁପର-୮ ରେ ପ୍ରବେଶ କରିସାରିଛି।
ସେଣ୍ଟ ଲୁସିଆର ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୩ ରନରେ ସ୍କଟଲାଣ୍ଡ ପ୍ରଥମ ୱିକେଟ୍ ହରାଇଥିଲା। ମାଇକେଲ ଜୋନ୍ସ ମାତ୍ର ଦୁଇ ରନ୍ ସ୍କୋର କରି ଆଷ୍ଟନ ଅଗରଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଜର୍ଜ ମୁନ୍ସି (୩୫) ଓ ବ୍ରେଣ୍ଡନ୍ ମ୍ୟାକମଲେନ୍ (୬୦) ଙ୍କ ମଧ୍ୟରେ ୪୮ ଟି ବଲରେ ୮୯ ରନର ଭାଗିଦାରୀ ହୋଇଥିଲା।
ଆଟାକିଙ୍ଗ ବ୍ୟାଟିଂ କରୁଥିବା ମ୍ୟାକମଲେନ୍ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସ୍କଟଲ୍ୟାଣ୍ଡ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ରେଣ୍ଡନ୍ ୨୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ଯେଉଁଥିରେ ୨ ଟି ଚୌକା ଓ ୬ ଟି ଛକ୍କା ସାମିଲ ଥିଲା। କ୍ୟାପଟେନ ରିଚାର୍ଡ ବେରିଙ୍ଗଟନ୍ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍ ଅପ୍ ବିପକ୍ଷରେ ସ୍କଟଲ୍ୟାଣ୍ଡ ୫ ୱିକେଟ୍ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ପାଇଁ ୨ ଟି ୱିକେଟ୍ ନେଇଥିବା ବେଳେ ନାଥନ ଇଲୀଶ, ଆଷ୍ଟନ ଅଗର ଓ ଆଡ଼ାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଟାର୍ଗେଟକୁ ଚେଜ କରୁଥିବାବେଳେ ଅଷ୍ଟ୍ରେଲିଆ ଖରାପ ଆରମ୍ଭ କରିଥିଲା । ପାୱାରପ୍ଲେରେ ଅଷ୍ଟ୍ରେଲିଆର ଦୁଇଟି ୱିକେଟ୍ ଯାଇଥିଲା । ଡେଭିଡ ୱାର୍ନର ୧ ରନ କରି ନିଜ ୱିକେଟ୍ ହରାଇଥିବାବେଳେ ଅଧିନାୟକ ମାର୍ଶ ୮ ରନରେ ନିଜ ୱିକେଟ୍ ନେଇ ହରାଇଥିଲେ । ୧୧ ରନ ସ୍କୋର କରି ପରେ ଗ୍ଲେନ୍ ମ୍ୟାକ୍ସୱେଲ ଆଉଟ ହୋଇଥିଲେ। ମାର୍କ୍ସ ଷ୍ଟୋଇନିସ(୫୯) ଓ ଟ୍ରାଭୀଷ ହେଡ଼ଙ୍କ(୬୮) ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ମ୍ୟାଚ ଜିତିଥିଲା ।
ଅଧିକ ପଢନ୍ତୁ : ଶେଷ ବଲରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା