ଗୁଜୁରାଟ ଟାଇଟାନ୍ସ ଆଜି ସନ୍ଧ୍ୟାରେ ଘରୋଇ ମୈଦାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଆଇପିଏଲ୍ ୨୦୨୪ ର ୩୨ ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଚଳିତ ଆଇପିଏଲ ସିଜିନରେ ଗୁଜୁରାଟ ୬ ଟି ମ୍ୟାଚ ଖେଳିଥିବାବେଳେ ୩ଟିରେ ବିଜୟ ହାସଲ କରିଛି ଏବଂ ୩ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ଏହା ସହ ପଏଣ୍ଟସ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ ଟି ମ୍ୟାଚ ଜିତିଥିବାବେଳେ ୪ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଏହା ସହ ଋଷବ ପନ୍ତଙ୍କ ଦିଲ୍ଲୀ ପଏଣ୍ଟସ ଟେବୁଲର ନବମ ସ୍ଥାନରେ ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ବଲ୍-ବ୍ୟାଟ୍ ମଧ୍ୟରେ ଭଲ ସଂଯୋଗ ହେଉଥିବାରୁ ଭଲ ସ୍କୋର ହୋଇଥାଏ । ଦ୍ରୁତ ଆଉଟଫିଲ୍ଡ ହେତୁ ବଲ କ୍ଷିପ୍ର ଗତିରେ ସୀମା ରେଖା ପାର କରିଥାଏ । ତେବେ ଅହମ୍ମଦାବାଦର ପିଚ୍ ସ୍ପିନ ବୋଲରଙ୍କୁ ସାହାଯ୍ୟ କରିଥାଏ ।
ତେବେ ଆଇପିଏଲରେ ଏପର୍ଯ୍ୟନ୍ତ ଅହମ୍ମଦାବାଦରେ ମୋଟ ୩୦ ଟି ମ୍ୟାଚ ଖେଳାଯାଇଛି, ସେଥିମଧ୍ୟରୁ ପ୍ରଥମ ବ୍ୟାଟିଂ କରିଥିବା ଦଳ ୧୪ ଟି ମ୍ୟାଚରେ ଜିତିଥିବାବେଳେ ଚେଜ କରୁଥିବା ଦଳ ୧୬ ଟି ମ୍ୟାଚରେ ବିଜୟ ହାସଲ କରିଛି । ହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୭୩ ରନ ହୋଇଥିବାବେଳେ ଦ୍ୱିତୀୟ ଇନିଂସର ସ୍କୋର ୧୫୮ ରନ ଅଟେ । ତେଣୁ ଟସ୍ ଜିତିବା ଦଳ ବୋଲିଂର ନିଷ୍ପତି ନେଇପାରନ୍ତି । ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୋଟ ୩ଟି ମ୍ୟାଚ ଖେଳାଯାଇଥିଲାବେଳେ ଗୁଜୁରାଟ ୨ଟି ମ୍ୟାଚ ଜିତିଛି ଏବଂ ଦିଲ୍ଲୀ ଗୋଟିଏ ମ୍ୟାଚ ଜିତିଛି ।
ଅଧିକ ପଢନ୍ତୁ : ଵଟଲରଙ୍କ ଶତକ ବଳରେ ମ୍ୟାଚ ଜିତିଲା ରାଜସ୍ଥାନ