ଏକ ରୋମାଞ୍ଚକର ମ୍ୟାଚର ଅନ୍ତ ଘଟିଛି । ଶେଷ ବଲରେ ବାଜି ମାରିଛି ରାଜସ୍ଥାନ ରୟାଲ୍ସ । ବଟଲରଙ୍କ ଶତକ ସହ ମ୍ୟାଚ ଜିତି ପଏଣ୍ଟସ ଟେବୁଲରେ ଶୀର୍ଷରେ ରହିଛି ରାଜସ୍ଥାନ । ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଲକ୍ଷ୍ୟ ପାର କରାଇଥିବା ବଟଲରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ କରାଯାଇଛି ।
ଇଡେନ ଗାର୍ଡେନରେ ଖେଳାଯାଇଥିବା ଆଇପିଏଲ ୨୦୨୪ ର ୩୧ ତମ ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ରାଜସ୍ଥାନ ରୟାଲ୍ସ । କୋଲକାତାର ଓପନିଂ ବ୍ୟାଟ୍ସମ୍ୟାନ ଫିଲ ସଲ୍ଟ ୧୦ ରନରେ ୱିକେଟ୍ ହରାଇଥିବାବେଳେ ସୁନୀଲ ନାରୀନ ୧୦୯ ରନ ସଂଗ୍ରହ କରିଥିଲେ । ଅଙ୍ଗକ୍ରିସ ରଘୁବଂଶୀ ୩୦, ଶ୍ରେୟସ ଆୟାର ୧୧, ରସେଲ ୧୩, ରିଙ୍କୁ ସିଂ ୨୦, ଭେଙ୍କଟେଶ ଆୟର ୮ ଓ ରାମନଦୀପ ସିଂ ୧ ରନ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ଓ ଆଭେଶ ଖାନ ୨ ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ଟ୍ରେଣ୍ଟ ବୋଲ୍ଟ ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ୟଶସ୍ଵୀ ଜେସୱାଲ ୧୯, ବଟଲର ୧୦୭, ସଂଜୁ ସାମସନ ୧୨, ରିୟାନ ପରାଗ ୩୪, ଯୁରେଲ ୨, ଅଶ୍ୱିନ ୮, ରୋମାନ ପୋୱେଳ ୨୬ ରନ ସଂଗ୍ରହ କରିଥିଲେ। କୋଲକାତା ପକ୍ଷରୁ ହର୍ଷିତ ରାଣା, ସୁନୀଲ ନାରୀନ ଓ ବରୁନ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ବୈଭବ ଅରୋରା ଗୋଟିଏ ୱିକେଟ୍ ନେଇଥିଲେ । ଏହା ସହ ପଏଣ୍ଟସ ଟେବୁଲରେ ରାଜସ୍ଥାନ ଶୀର୍ଷରେ ରହିଛି । ରାଜସ୍ଥାନ ୭ ଟି ମ୍ୟାଚରୁ ୬ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି । କୋଲକାତା ଗତ କାଲିର ପରାଜୟ ସତ୍ୱେ ଦ୍ଵିତୀୟ ସ୍ଥାନରେ ରହିଛି । କୋଲକାତା ୬ଟି ମ୍ୟାଚ ଖେଳିଥିବାବେଳେ ୪ଟିରେ ବିଜୟ ହାସଲ କରିଛି ଏବଂ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ।
ଅଧିକ ପଢନ୍ତୁ : ଆଇପିଏଲର ସର୍ବାଧିକ ସ୍କୋର ବନାଇ ମ୍ୟାଚ ଜିତିଲା ହାଇଦ୍ରାବାଦ