ଭୁବନେଶ୍ୱର: ଆଜି ଉଭୟ ଦଳ ଭାରତ ଓ ଇଂଲଣ୍ଡ ଓଡ଼ିଶାରେ ପହଁଚିବେ । ବାରବାଟୀ ଖେଳା ଯିବାକୁ ଥିବା ଦ୍ୱିତୀୟ ଦିନିକିଆ ପାଇଁ ଉଭୟ ଦଳ ନାଗପୁରରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଥିପାଇଁ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଉଭୟ ଦଳଙ୍କ ପାଇଁ ହୋଟେଲ ମେ ଫେୟାରରେ ରହଣିର ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ୍ ଅଭିମୁଖେ ଯିବେ । ଆସନ୍ତାକାଲି ଉଭୟ ଦଳ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ଯିବେ । ସକାଳ ସମୟରେ ଭ୍ରମଣକାରୀ ଦଳ ଇଂଲଣ୍ଡ ଏବଂ ସନ୍ଧ୍ୟା ସମୟରେ ଘରୋଇ ଦଳ ଭାରତ ଅଭ୍ୟାସ କରିବେ ।
କ୍ରିକେଟ୍ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟୁଇନ୍ ସିଟିରେ ୫୦ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତ ହେବେ । ଖେଳାଳି ମାନେ କିପରି ସୁରୁଖରେ ବିମାନ ବନ୍ଦରରୁ ହୋଟେଲ୍ ଏବଂ ହୋଟେଲ୍ ରୁ ଷ୍ଟାଡିୟମଅଭିମୁଖେ ଯିବେ ସେଥିପାଇଁ ଗତକାଲି କାରକେଡ୍ ରିହରସେଲ୍ କରାଯାଇଛି । ରବିବାର ମ୍ୟାଚ୍ ଶେଷ ହେବା ପରେ ସୋମବାର ଉଭୟ ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବେ ।
ଗତକାଲି ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ୪୭.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଭାରତ ୩୮.୪ ଓଭରରେ ୬ ୱିକେଟ୍ ହରାଇ ୨୫୧ ରନ୍ କରିବା ସହିତ ଏହି ମ୍ୟାଚ୍କୁ ୪ ୱିକେଟ୍ରେ ଜିତିଥିଲା।