ମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ ପାଇଁ ଭାରତୀୟ ଦଳ ତାର ଶ୍ରେଷ୍ଠ ୧୫ ଖେଳାଳୀଙ୍କ ନାମ ଘୋଷଣା କରିଛି । ଚାମ୍ପିଅନ୍ସ ଟ୍ରଫିର ମଙ୍ଗ ଧରିବେ ଅଧିନାୟକ ରୋହିତ ଶର୍ମା । ଆଉ ଉପ-ଅଧିନାୟକ ପଦ ସମ୍ଭାଳିବେ ଶୁଭମନ ଗିଲ୍ । ଏ ନେଇ ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜୀତ ଅଗରକର ଓ କ୍ୟାପଟେନ୍ ରୋହିତ ଶର୍ମା ।
ଚାମ୍ପିଅନ୍ସ ଟ୍ରଫିରେ ୧୪ ମାସର ଲମ୍ବା ବ୍ୟବଧାନ ପରେ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମି । ଆହତ ଯଶପ୍ରୀତ ବୁମରାହଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତେବେ ମହମ୍ମଦ ସିରାଜଙ୍କୁ ଶ୍ରେଷ୍ଠ ଏକାଦଶରୁ ବାଦ ଦିଆଯାଇଛି ।
ଟିମ୍ ଇଣ୍ଡିଆ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେ ଏଲ୍. ରାହୁଲ (ୱିକେଟ୍ କିପର୍), ଋଷଭ ପନ୍ତ (ୱିକେଟ୍ କିପର୍), ହାର୍ଦ୍ଦିକ୍ ପାଣ୍ଡ୍ୟା, ଯଶସ୍ୱୀ ଜୟସୱାଲ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ ଏବଂ ୱାଶିଂଟନ୍ ସୁନ୍ଦର ।
ଚଳିତ ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ୍ ମଡେଲରେ ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ । ପାକିସ୍ତାନରେ ୩ଟି ସ୍ଥାନରେ ଏବଂ ଦୁବାଇର ଗୋଟିଏ ସ୍ଥାନରେ ମ୍ୟାଚ୍ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଯଦି ଭାରତ ଫାଇନାଲକୁ ଯାଏ ତେବେ ଦୁବାଇରେ ହିଁ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଫେବୃଆରୀ ୧୯ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଫେବୃଆରୀ ୨୦ରେ ଟିମ୍ ଇଣ୍ଡିଆ ପଡ଼ୋଶୀ ବାଂଲାଦେଶକୁ ଭେଟିବ ।
୮ଟି ଦଳ ମଧ୍ୟରେ ୨ଟି ଗ୍ରୁପ୍ ବିଭକ୍ତ କରାଯାଇଥିବାବେଳେ ୧୫ଟି ମୁକାବିଲା ହେବ ।ପ୍ରତ୍ୟେକ ଟିମ୍ ୩-୩ଟି ଲେଖାଏଁ ମ୍ୟାଚ୍ ଖେଳିବେ । ଏହା ପରେ ପ୍ରତି ଗ୍ରୁପ ଶ୍ରେଷ୍ଠ ୨ଟି ଟିମ୍ ମଧ୍ୟରେ ସେମିଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲ ଦୁବାଇରେ ଏବଂ ଦ୍ୱିତୀୟ ସେମିଫାଇନାଲ ଲାହୋରରେ ଖେଳାଯିବ ।
ଗ୍ରୁପ୍-ଏ- ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ
ଗ୍ରୁପ୍-ବି- ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ
ଚାମ୍ପିଅନ୍ସ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ...
ଫେବୃଆରୀ ୧୯ - ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
ଫେବୃଆରୀ ୨୦ - ବାଂଲାଦେଶ ବନାମ ଭାରତ, ଦୁବାଇ
ଫେବୃଆରୀ ୨୧ - ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚୀ
ଫେବୃଆରୀ ୨୨ - ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୩ - ପାକିସ୍ତାନ ବନାମ ଭାରତ, ଦୁବାଇ
ଫେବୃଆରୀ ୨୪ - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
ଫେବୃଆରୀ ୨୫ - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି
ଫେବୃଆରୀ ୨୬ - ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୭ - ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
ଫେବୃଆରୀ ୨୮ - ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର
ମାର୍ଚ୍ଚ ୧ - ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
ମାର୍ଚ୍ଚ ୨ - ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
ମାର୍ଚ୍ଚ ୪ - ସେମିଫାଇନାଲ ୧, ଦୁବାଇ
ମାର୍ଚ୍ଚ ୫ - ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ - ଫାଇନାଲ୍, ଲାହୋର (ଭାରତ ଫାଇନାଲ୍ ରେ ପହଞ୍ଚିଲେ ଦୁବାଇରେ ଖେଳାଯିବ)
ମାର୍ଚ୍ଚ ୧୦ – ରିଜର୍ଭ ଡେ