ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ବରେ ବିଶ୍ବ ବିଜେତା ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାର ୱେଷ୍ଟଇଣ୍ଡିଜ୍ର ବାରବାଡୋସରୁ ଏକ ସ୍ବତନ୍ତ୍ରୀ ବିମାନରେ ଆସି ନୂଆଦିଲ୍ଲୀ ପହଞ୍ଚିଛନ୍ତି। ପୁରୁଷ ଭାରତୀୟ କ୍ରିକେଟ ଟିମ୍ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍ ଟ୍ରଫି ଜିତିବା ପରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୂର୍ବାହ୍ ପ୍ରାୟ ସାଢ଼େ ୬ଟା ୩୦ରେ ପହଞ୍ଚିଛନ୍ତି। ଏହି ଅବସରରେ ଦିଲ୍ଲୀ ବିମାନବନ୍ଦର ବାହାରେ ପ୍ରଶଂସକଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଭାରତୀୟ ଟିମ୍କୁ ସ୍ବାଗତ କରିବାକୁ ଚାହିଁଥିଲେ। ଏପରିକି ହଜାର ହଜାର ପ୍ରଶଂସକ ରାତିସାରା ଉଜାଗର ରହି ଦିଲ୍ଲୀ ବିମାନବନ୍ଦର ସାମ୍ନାରେ ଅପେକ୍ଷା କରିଥିଲେ।
ଭାରତୀୟ ଟିମ୍ ଆଜି ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବାସରେ ଟିମ୍ ଇଣ୍ଡିଆର ଖେଳାଳିମାନେ ତାଙ୍କୁ ପୂର୍ବାହ୍ଣରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଟିମ୍ ମୁମ୍ବାଇ ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ବାହାରିବେ। ସେଠାରେ ନାରୀମନ ପଏଣ୍ଟରୁ ୱାଙ୍ଖେଡେ ଷ୍ଟାଡିୟମ ଯିବେ। ଏହି ଅବସରରେ ଏକ ରୋଡ ଶୋ’ର ଆୟୋଜନ ହେବ। ଶେଷରେ ୱାଙ୍ଖେଡେ ଷ୍ଟାଡିୟମରେ ବିଜୟ ପରେଡର ଆୟାଜନ କରାଯିବ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଂପାଦକ ଜୟ ଶାହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଇତିହାସ ରଚିଛି। ଏହି ଟିମ୍ ଇତିହାସରେ ଚତୁର୍ଥ ଥର ବିଶ୍ବକପ୍ (ଦିନିକିଆ ଓ ଟି-୨୦) ଚାମ୍ପିଅନ୍ ହୋଇଛି। ଟି-୨୦ ବିଶ୍ବକପ୍ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତୀୟ ଟିମ୍ ଶନିବାର (ଜୁନ୍୨୯) ୭ ରନ୍ରେ ପରାସ୍ତ କରିଛି। ଏକ ରୋମାଞ୍ଚକର ମୁକାବିଲାରେ ଭାରତୀୟ ଟିମ୍ ବିଜୟ ହାସଲ କରି ୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତି ପାରିଛନ୍ତି। ଭାରତୀୟ ଟିମ୍ ଫାଇନାଲ ଚାମ୍ପିଅନ୍ ହେଲା ପରେ ଭାରତରେ ଉତ୍ସବର ମାହୋଲ ଦେଖାଯାଇଛି। ପଲ୍ଲୀଠୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଖେଳାଳି, କ୍ରିକେଟ୍ପ୍ରେମୀ, ପ୍ରଂଶସକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।