ନୂଆଦିଲ୍ଲୀ: ଗତ ସୋମବାର କ୍ରିକେଟ୍ ଜଗତ ସେହି ସମୟରେ ସ୍ତବ୍ଧ ହୋଇଗଲା ଯେତେବେଳେ ବାଂଲାଦେଶର ବରିଷ୍ଠ କ୍ରିକେଟର ତମିମ ଇକବାଲଙ୍କୁ ହାର୍ଟଆଟାକ୍ ହୋଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ କେପିଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏଞ୍ଜିଓଗ୍ରାମ ଟେଷ୍ଟ କରାଯାଇଛି । ଟେଷ୍ଟରୁ ଜଣା ପଡିଛି ଯେ, ଇକବାଲଙ୍କ ହାର୍ଟର ଏକ ଧମନୀରେ ବ୍ଲକେଜ ଥିଲା ।
ପ୍ରଫେସର ଅବୁ ଜାଫର ତମିମ ଇକବାଲଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସଦ୍ୟତମ ସୂଚନା ଦେଇଛନ୍ତି । ସେ କହିଛନ୍ତି ତମିମଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ଏବଂ ସେ ଧିରେ ଧିରେ ଚାଲିବା ଆରମ୍ଭ କରିଛନ୍ତି । ସ୍ୱାଭାବିକ ସ୍ଥିତିକୁ ଫେରିବା ପାଇଁ ତାଙ୍କୁ ଅତି କମରେ ତିନି ମାସ ସମୟ ଅପେକ୍ଷା କରିବାକୁ ପଡିବ । କିନ୍ତୁ ତାଙ୍କର ହାର୍ଟ ସ୍ୱାଭାବିକ ରହିଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ନଚେତ ସ୍ଥିତି ବିଗିଡିପାରେ ।
ପ୍ରଫେସର ଅବଦୁଲ ବଦୁଦ କହିଛନ୍ତି, ତମିମ ଇକବାଲଙ୍କୁ ଦୌଡା ଦୌଡି ପାଇଁ ମନା କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ମଧ୍ୟ ଅଚାନକ ବିଗିଡିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ତାଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି । ପରିବାର ଏହା ଉପରେ ନିଷ୍ପତ୍ତି ନେବେ । ତାଙ୍କୁ ପରିଶ୍ରମ କରିବାକୁ ମନା କରାଯାଇଛି ।
ସୂଚନାଯୋଗ୍ୟ, ତମିମ ଇକବାଲ ୨୦୦୭ରେ ବାଂଲାଦେଶ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ୨୦୨୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ମାତ୍ର ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅନୁରୋଧକ୍ରମେ ସେ ୨୪ ଘଣ୍ଟାରେ ନିଜର ସନ୍ନ୍ୟାସ ନିଷ୍ପତ୍ତି ବଦଳାଇ ଦେଇଥିଲେ । ତେବେ ଏହାର ଛଅ ମାସ ପରେ ଅର୍ଥାତ ୨୦୨୪ ଜାନୁଆରୀରେ ସେ ନିଜର କ୍ରିକେଟ୍ କ୍ୟାରିୟରକୁ ଅଲବିଦା କହିଥିଲେ ।