ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଖେଳାଳି ଶ୍ରେୟସ ଆୟର ସଂପ୍ରତି ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅଗ୍ରଗତି ଘଟୁଛି । ତେଣୁ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ,ଶ୍ରେୟସ କେବେ ମଇଦାନକୁ ଓହ୍ଲାଇବେ । କଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ ଶ୍ରେୟସ । ତେବେ ଏହାର ସମ୍ଭାବନା ବହୁତ କମ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଶ୍ରେୟସ ଆହତ ହୋଇଥିଲେ । ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା । ଏହା ପରେ ଆୟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟରଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିବାର ସମ୍ଭାବନା କମ ରହିଛି । ନଭେମ୍ବର ୩୦ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ବିସିିସିଆଇ ଓ ଚୟନ କମିଟି ଶ୍ରେୟସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁ ନାହାନ୍ତି । ଆୟର ଦିନିକିଆ କ୍ରିକେଟରେ ମହତ୍ୱପୂର୍ଣ୍ଣ ଖେଳାଳି ଏବଂ ସେ ୨୦୨୩ ଦିନିକିଆ ବିଶ୍ୱକପରେ ୫୦୦ରୁ ଅଧିକ ରନ କରିବା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତର ସର୍ବାଧିକ ରନହାସଲକାରୀ ବ୍ୟାଟର ଥିଲେ ।
ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ଏବେ ସମୟ ଲାଗିବ । ବୋର୍ଡ ତାଙ୍କର ପ୍ରତ୍ୟାବର୍ତ୍ତନକୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହେଁ ନାହିଁ । ଉଲ୍ଲେଖନୀୟ ଅକ୍ଟୋବର ୨୫ରେ ସିଡନୀରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଶ୍ରେୟସ ତଳେ ପଡି ଯାଇ ଆହତ ହୋଇଥିଲେ । ତାଙ୍କର ବାମ ଛାତିର ପିଞ୍ଜରା ହାଡରେ ଆଘାତ ଲାଗିଥିଲା । ସ୍କାନରୁ ଜଣା ପଡିଥିଲା ଯେ, ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବା ସହ ଗମ୍ଭୀର ଆଘାତ ଲାଗିଛି । ଏଥିପାଇଁ ଶ୍ରେୟସଙ୍କୁ ସିଡନୀ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଆବଶ୍ୟକୀୟ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତେବେ ଶ୍ରେୟସ କେବେ ମଇଦାନକୁ ଫେରିବେ ତାହା ଏବେ କହିବା ମୁସ୍କିଲ ।
Also read: ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଏବେ ପ୍ରସ୍ତୁତ ନୁହେଁ, ଗମ୍ଭୀରଙ୍କ ବୟାନକୁ ନେଇ ଚାଞ୍ଚଲ୍ୟ