ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସଂପ୍ରତି ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ଅଗ୍ରଣୀ ହାସଲ କରିଛି । ଆଉ ଦଳ ଦ୍ୱିତୀୟ ମ୍ୟାଚ୍ ବି ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ମ୍ୟାଚ୍ ଜିତିବା ଏବଂ ଦ୍ୱିତୀୟ ମ୍ୟାଚ୍ ଜିତିବାର ଆଶା ମଧ୍ୟରେ ଭାରତର ଆଇସିସି ଟେଷ୍ଟ ମାନ୍ୟତା ନକରାତ୍ମକ ରହିଛି । କେବେ ଶୀର୍ଷରେ ରହୁଥିବା ଟିମ୍ ଇଣ୍ଡିଆ ଏବେ ବହୁତ ତଳେ ରହିଛି । ଆଉ ନିକଟ ଭବିଷ୍ୟତରେ ମଧ୍ୟ ଦଳ ଶୀର୍ଷକୁ ଉଠିବାର ସମ୍ଭାବନା କମ ରହିଛି ।
ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି । ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ହାରିଥିଲେ ମଧ୍ୟ ଦଳର ରାଙ୍କିଙ୍ଗରେ କୌଣସି ଫରକ ପଡିନାହିଁ । ଦଳ ଏବେ ବି ୧୨୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ବିଜେତା ଦକ୍ଷିଣ ଆଫ୍ରିକା ୧୧୫ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ପରେ ନମ୍ବର ତିନିରେ ରହିଛି ଇଂଲଣ୍ଡ ଏବଂ ଦଳର ରେଟିଂ ହେଉଛି ୧୧୨ । ଅର୍ଥାତ ଭାରତ ଟପ୍-୩ରେ ବି ନାହିଁ ।
ଟିମ୍ ଇଣ୍ଡିଆ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛି । ଦଳର ରେଟିଂ ପଏଣ୍ଟ ୧୦୭ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଜିତିବା ପୂର୍ବରୁ ଦଳର ରେଟିଂ ଆହୁରି କମ ଥିଲା । ଆଉ ଦଳ ଦ୍ୱିତୀୟ ଟେଷ୍ଟ ଜିତିଲେ ରେଟିଂ ୧୦୮ ପଏଣ୍ଟକୁ ବୃଦ୍ଧି ଘଟିବ । ଦଳ ଦିଲ୍ଲୀ ଟେଷ୍ଟ ଜିତିଲେ ମଧ୍ୟ ରାକିଙ୍ଗରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କାରଣ ୧୧୨ ପଏଣ୍ଟ ସହ ଇଂଲଣ୍ଡ ତୃତୀୟରେ ରହିଛି ।
ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ସହ ଦୁଇଟି ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆ ଗସ୍ତ କରିବ । ସେଠାରେ ଦଳ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଏହା ପରେ ହିଁ ନଭେମ୍ବରରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବ । ଦକ୍ଷିଣ ଆଫ୍ରିକାକୁ ହରାଇଲେ ହେଁ ଦଳର ରେଟିଂ ପଏଣ୍ଟ ବଢିବା ସହ ମାନ୍ୟତାରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । କିନ୍ତୁ ଶୁଭମନ ଗିଲଙ୍କ ବାହିନୀକୁ ଦକ୍ଷିଣ ଆଫ୍ରିକାକୁ ହରାଇବା ସହଜ ନୁହେଁ ।
Also read: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ କାହିଁକି ଚୟନ କରାଗଲା ? ପୂର୍ବତନ ଅଧିନାୟକ ଉଠାଇଲେ ପ୍ରଶ୍ନ