ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ୍ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଚୟନ କରାଯାଇଛି । ଶର୍ମାଙ୍କଠୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ କାଢି ନିଆଯାଇ ଶୁଭମନ ଗିଲଙ୍କୁ କରାଯାଇଛି । ସବା କରିମଙ୍କ ପରି ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କଠୁ ଅଧିନାୟକତ୍ୱ ଛଡାଇ ନେବା ଉପରେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍କସରକାର ହିଟମ୍ୟାନ ଓ କିଙ୍ଗ କୋହଲିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ ନେଇ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ଯେ, କେଉଁ ଆଧାରରେ ଦୁଇ ଖେଳାଳିଙ୍କୁ ଦଳରେ ଚୟନ କରାଗଲା ।
ଭେଙ୍କସରକାର ପ୍ରଶ୍ନ କରିଛନ୍ତି ଯେ, ଯେବେ ରୋହିତ ଓ ବିରାଟ ଦୁଇଟି ଫର୍ମାଟ୍ ଟେଷ୍ଟ ଓ ଟି-୨୦ରେ ଅବସର ନେଇ ସାରିଛନ୍ତି । ଏବେ ଦୁହେଁ କେବଳ ଦିନିକିଆ ପାଇଁ ଉପଲବ୍ଧ । ତେଣୁ ପ୍ରଶ୍ନ ଉଠୁଛି ଯେ, ଚୟନକର୍ତ୍ତା କେଉଁ ଆଧାରରେ ସ୍ଥିର କଲେ ଯେ ଦୁଇ ଖେଳାଳିଙ୍କୁ ଦିନିକିଆରେ ରଖିବା ଉଚିତ୍ ।
ଯଦି ପ୍ରଦର୍ଶନକୁ ଚୟନର ମାପକାଠି ମାନାଯାଏ ତେବେ ଟିମ୍ ଇଣ୍ଡିଆ ନିଜର ଶେଷ ଦିନିକିଆ ଚଲିତ ବର୍ଷ ମାର୍ଚ୍ଚ ୯ରେ ଖେଳିଥିଲେ । ଉକ୍ତ ମୁକାବିଲା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମୁକାବିଲା ଥିଲା ଏବଂ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟାଇଟଲ୍ ମୁକାବିଲା ଖେଳିଥିଲା । ଉକ୍ତ ମ୍ୟାଚରେ ସର୍ବାଧିନ ୭୬ ରନ ରୋହିତ କରିଥିଲେ । ସେ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ବିରାଟ କୋହଲି କେବଳ ଏକ ରନ କରିଥିଲେ । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଶ୍ରେୟସ ଆୟରଙ୍କ ପରେ କୋହଲି ଦ୍ୱିତୀୟ ସର୍ବାଧିନ ରନ ହାସଲକାରୀ ବ୍ୟାଟର ଥିଲେ । ଆୟର ୨୪୩ ରନ ଏବଂ କୋହଲି ୨୧୮ ରନ କରିଥିଲେ । ଆଉ ଚାମ୍ପିଅନ୍ସ ଟ୍ରଫିରେ ରୋହିତ କରିଥିଲେ ୧୮୦ ରନ । ଭେଙ୍କ ସରକାର କହିଛନ୍ତି ଦୁଇ ଖେଳାଳି ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି । ଫିଟନେସ୍ ଏବଂ ଫର୍ମ କେମିତି ଅଛି ତାହା ଖେଳିବା ପରେ ହିଁ ଜଣା ପଡିବ । ତେବେ ଏହା ପୂର୍ବରୁ କେଉଁ ଆଧାରରେ ଚୟନକର୍ତ୍ତା ରୋହିତ ଓ କୋହଲିଙ୍କୁ ଦଳରେ ସାମିଲ କଲେ ତାହା ବୁଝିବା ମୁସ୍କିଲ ।
Also read: ଭାରତ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ