ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଖେଳାଯିବ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଇସିସି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୫୦୦ କୋଟି ଟଙ୍କାର ମୋଟ୍ ବଜେଟ୍ ମଞ୍ଜୁର କରିଛି । ତେବେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ନାହିଁ ତାହା ଏବେ ବି ଅସମାହିତ ପ୍ରଶ୍ନ ହୋଇ ରହିଛି । ଯଦି ଭାରତ ପାକିସ୍ତାନ ଗସ୍ତ ନ କରେ ତେବେ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳାଯିବ ।
ସେହି ହିସାବରେ ଭାରତ ନିଜର ମ୍ୟାଚ୍ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିବ ଏବଂ ପାକିସ୍ତାନ ନିଜର ମ୍ୟାଚ୍ ଘରୋଇ ମଇଦାନରେ ଖେଳିବ । ଏହା ଉପରେ କ୍ରିକେଟ୍ ବିଶେଷଜ୍ଞ ଆକାଶ ଚୋପ୍ରା କହିଛନ୍ତି, ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ତାହା ନିଷ୍ପତ୍ତି ବିସିସିଆଇ ହାତରେ ନାହିଁ । ଭାରତୀୟ ଦଳର ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ବହୁତ କମ ରହିଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବ, କାରଣ ସେଠାରେ କ୍ରିକେଟର ପ୍ରତ୍ୟାବର୍ତ୍ତନ ହୋଇ ସାରିଛି । ଆମ ପଡୋଶୀ ଦେଶରେ ଏସିଆ କପ୍ ମଧ୍ୟ ଆୟୋଜନ ହୋଇଛି । ହାଇବ୍ରିଡ ମୋଡେଲରେ ଭାରତ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିଛି । ତେବେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ପରି ଦଳ ସେଠାକୁ ଯିବେ, ମାତ୍ର ଆମେ ଆମେ ଯିବୁ ନାହିଁ ।
ଆକାଶ ଚୋପ୍ରା କହିଛନ୍ତି, ବିସିସିଆଇ ହାତରେ ଏ ସଂପର୍କ ନିଷ୍ପତ୍ତି ନେବାର ଅଧିକାର ହିଁ ନାହିଁ । ମୋ ମତରେ ସରକାରଙ୍କ ପକ୍ଷରୁ ହଁର ଜବାବ ଆସିବାର ସମ୍ଭାବନା ବହୁତ କ୍ଷୀଣ ଲାଗୁଛି । କାରଣ ପ୍ରତି ମାସେ କି ଦୁଇ ମାସରେ କାଶ୍ମୀରରୁ ଖବର ଚାଲି ଆସୁଛି । ଯେଉଁଥିରେ ଆପଣଙ୍କୁ ଲାଗୁଛି ଯେ, ଆମ ସହ ଭୁଲ୍ ହେଉଛି । ଯଦି ଫାଇନାଲରେ ଭାରତ ଓ ପାକିସ୍ତାନ ପହଞ୍ଚନ୍ତି ତେବେ ଏହି ମ୍ୟାଚ୍ କେଉଁଠି ଖେଳାଯିବ ତାହା ବଡ ପ୍ରଶ୍ନ । ଆୟୋଜକ ହିସାବରେ ପାକିସ୍ତାନ ନିଜ ଘରେ ଖେଳିବାକୁ ଚାହିଁବ । ଅନ୍ୟପଟେ ଭାରତ ପାକିସ୍ତାନ ଯିବ ନାହିଁ ।