ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତୀୟ ଦଳ କ୍ଲିନ ସୁଇପ୍ ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ତାଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଛି । ତାଙ୍କୁ କାହିଁକି ଦଳରେ ସ୍ଥାନ ମିଳିବ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରୋହିତ ଉଭୟ ନେତୃତ୍ୱ ଓ ବ୍ୟାଟିଂରେ ଫେଲ୍ ମାରିଛନ୍ତି । ଏମିତିରେ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ରୋହିତ ଶର୍ମାଙ୍କ ପାଇଁ ବେଶ ମହତ୍ୱପୂର୍ଣ୍ଣ ରହିଛି। ଯଦି ଭାରତ ଅଷ୍ଟ୍ରେଲିଆଠୁ ସିରିଜ୍ ହାରେ ଏବଂ ରୋହିତ ଜଣେ ବ୍ୟାଟର ଭାବେ ଖରାପ ପ୍ରଦର୍ଶନ କରନ୍ତି ତେବେ ବିସିସିଆଇ ତାଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାର ଯଥେଷ୍ଟ ସମ୍ଭାବନା ରହିଛି।
ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା କୃଷ୍ଣାମାଚାରୀ ଶ୍ରୀକାନ୍ତ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଦି ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ସେ ନିଜ ଆଡ଼ୁ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଯିବେ। ଶ୍ରୀକାନ୍ତ ନିଜର ୟୁଟ୍ୟୁବ୍ ଶୋରେ କହିଛନ୍ତି, ଯଦି ରୋହିତ ଅଷ୍ଟ୍ରେଲିଆ ସିରିଜ୍ରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ମୋତେ ଲାଗୁଛି ସେ ନିଜ ଆଡୁ ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ନେଇଯିବେ ଏବଂ କେବଳ ଦିନିକିଆ ଖେଳିବେ। ସେ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି।
ରୋହିତ ଶର୍ମାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନିରାଶଜନକ ରହିଛି। ମାତ୍ର ଶ୍ରୀକାନ୍ତଙ୍କ ମତରେ କୋହଲିଙ୍କ ବିଷୟରେ ଏବେଠୁ କିଛି କହିବା ଉଚିତ୍ ହେବନି। ମୋ ବିଚାରରେ ବିରାଟ କୋହଲି ଅଷ୍ଟ୍ରେଲିଆରେ ଫର୍ମକୁ ଫେରିବେ। କାରଣ ଅଷ୍ଟ୍ରେଲିଆ ପିଚ୍ ଓ ପାଣିପାଗ ତାଙ୍କୁ ବେଶ ସୁହାଇଥାଏ।
ତେଣୁ ମୋ ମତରେ ବିରାଟ କୋହଲିଙ୍କ ବିଷୟରେ ଏବେଠୁ ଏହି ଧରଣର ଆଲୋଚନା କରିବା ଉଚିତ୍ ହେବନି। ବିରାଟ କୋହଲିଙ୍କ ପାଖରେ ବହୁତ ସମୟ ରହିଛି। ଟେଷ୍ଟ କ୍ରିକେଟ୍ରେ ଗୋଟିଏ କିମ୍ବା ଦୁଇଟି ଖରାପ ବର୍ଷ ରହିଥାଏ ବୋଲି କୃଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି।