ମୁମ୍ବାଇ: ପ୍ରଥମ ଦୁଇଟି ଟେଷ୍ଟ ହାରିବା ପରେ ଭାରତୀୟ ଦଳ ପାଖରେ ତୃତୀୟ ମ୍ୟାଚ୍ ଜିତି ସମ୍ମାନ ରଖିବାର ଭଲ ସୁଯୋଗ ରହିଛି। ବୋଲର ନିଜର କାମ କରି ଦେଇଥିବା ବେଳେ ଏବେ ବ୍ୟାଟରଙ୍କ ପାଳି। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଛି । ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ପ୍ରଥମେ ତୃତୀୟ ଦିନର ପ୍ରଥମ ସେସନ ଆରମ୍ଭରୁ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଇନିଂସକୁ ଶୀଘ୍ର ଶେଷ କରିବାକୁ ପଡିବ । ନ୍ୟୁଜିଲାଣ୍ଡ ୧୪୩ ରନ ଅଗ୍ରଣୀ ହାସଲ କରି ସାରିଛି। ମୁମ୍ବାଇ ପିଚ୍ ଯେପରି ବ୍ୟବହାର କରୁଛି ଚତୁର୍ଥ ଇନିଂସ ବ୍ୟାଟରଙ୍କ ପକ୍ଷେ ରନ ସଂଗ୍ରହ କରିବା କଷ୍ଟକର ହେବ ।
ରବିଚନ୍ଦ୍ରନ ଅଶ୍ଵିନଙ୍କ କହିବା କଥା ନ୍ୟୁଜିଲାଣ୍ଡ ଦ୍ଵାରା ମିଳିବାକୁ ଥିବା ଲକ୍ଷ୍ୟ ହାସଲ କରିବା ସେତେ ସହଜ ହେବନି। ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରହି ସାରିଥିବା ଅନିଲ କୁମ୍ବଲେ ମଧ୍ୟ କହିଛନ୍ତି ଯେ, ମୁମ୍ବାଇରେ ଚତୁର୍ଥ ଇନିଂସରେ ବିଜୟ ଲକ୍ଷ୍ୟ ହାସଲ କରିବା ସେତେଟା ସହଜ ହେବନି। ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟର ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ଦଳ ଭାରତଠୁ ୧୪୩ ରନର ଅଗ୍ରଣୀ ହାସଲ କରିଛି।
ଅଶ୍ଵିନ ଜିଓ ସିନେମାରେ ଦିନେଶ କାର୍ତ୍ତିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆମକୁ ନ୍ୟୁଜିଲାଣ୍ଡକୁ ଶୀଘ୍ର ଅଲଆଉଟ୍ କରିବାକୁ ପଡ଼ିବ। ଏହି ଇନିଂସରେ ଏବେ ପ୍ରତ୍ୟେକ ରନ ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । କାରଣ ଏହି ପିଚ୍ରେ ରନ କରିବା ସେତେ ସହଜ ନୁହେଁ। ମ୍ୟାଚ୍ ଜିତିବାକୁ ହେଲେ ଆମକୁ ବହୁତ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଏହି ପିଚ୍ ଉପରେ ବଲ୍ ବାଉନ୍ସ ହେବା ଚକିତ କରିଛି। ସାଧାରଣତଃ ମୁମ୍ବାଇ ପିଚ୍ ଏମିତି ବ୍ୟବହାର କରି ନ ଥାଏ ବୋଲି ଅଶ୍ୱିନ କହିଛନ୍ିତ ।
ଅଶ୍ଵିନ କହିଛନ୍ତି, ମୋତେ ଲାଗୁଥିଲା ପିଚ୍ ଆହୁରି ବାଉନ୍ସ ରହିବ। କିନ୍ତୁ ମୁମ୍ବାଇ ପିଚର ସ୍ୱଭାବ ଏମିତି ହୋଇ ନ ଥାଏ। ମ୍ୟାଚ୍ ନିର୍ଣ୍ଣାୟକ ମୋଡରେ ପହଞ୍ଚି ସାରିଛି । ଡ୍ରେସିଂ ରୁମ ପାର୍ଶ୍ଵରୁ ବୋଲିଂ କଲେ ପିଚ୍ ଫ୍ଲାଟ୍ ଓ ବାଉନ୍ସ କମ ରହୁଛି। ତୃତୀୟ ଦିନରେ ପିଚ୍ ଆହୁରି ସ୍ପିନରଙ୍କୁ ସୁହାଇବ ।