ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଖରାପ ଫର୍ମ ରଣଜୀ ଟ୍ରଫିରେ ମଧ୍ୟ ଜାରି ରହିଛି । ରେଳବାଇ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ କେହାଲି ମାତ୍ର ୬ ରନ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ହିମାଂଶୁ ସାଙ୍ଗୱାନ କ୍ଲିନ ବୋଲ୍ଡ କରି ପାଭିଲିୟନର ରାସ୍ତା ଦେଖାଇଛନ୍ତି । ବିରାଟ କୋହଲି ଗତ ୧୨ ବର୍ଷ ପରେ ପ୍ରଥମ ଥର ରଣଜୀ ମ୍ୟାଚ୍ ଖେଳୁଛନ୍ତି । ମାତ୍ର କ୍ରିକେଟ୍ ମଇଦାନରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି ।
ଦିଲ୍ଲୀ ଇନିଂସର ୨୪ତମ ଓଭରରେ ୟଶ ଢୁଲ ୩୨ ରନ ସ୍କୋରରେ ଆଉଟ୍ ହେବା ପରେ ବିରାଟ କୋହଲି ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇଥିଲେ । ମାତ୍ର ୨୮ତମ ଓଭରର ଚତୁର୍ଥ ବଲରେ ସେ ରେଳବାଇର ଦ୍ରୁତ ବୋଲର ହିମାଂଶୁ ତାଙ୍କୁ କ୍ଲିନ ବୋଲ୍ଡ କରିଛନ୍ତି । ଆଉଟ୍ ହେବା ପୂର୍ବ ବଲରେ କୋହଲି ଚୌକା ମାରିଥିଲେ । କିନ୍ତୁ ପରବର୍ତ୍ତୀ ବଲ ଆଶାଠୁ ଅଧିକ ସୁଇଙ୍ଗ ହୋଇଥିଲା ଏବଂ ବିରାଟ ବଲକୁ ବୁଝିବାରେ ବିଫଳ ହୋଇଥିଲେ ।
ଦିଲ୍ଲୀ ବନାମ ରେଳବାଇ ରଣଜୀ ମ୍ୟାଚରେ ବିରାଟ କୋହଲି ଖେଳୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଖେଳର ପ୍ରଥମ ଦିନରେ ଅରୁଣ ଜେଟଲୀ ଷ୍ଟାଡିୟମରେ ୧୫ ହଜାରରୁ ଅଧିକ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ରେଳବାଇ ପ୍ରଥମ ଇନିଂସରେ ୨୪୧ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦିଲ୍ଲୀ ଗୋଟିଏ ୱିକେଟ୍ ହରାଇ ୪୧ ରନ କରିଥିଲା । ପ୍ରଥମ ଦିନରେ ଦର୍ଶକଙ୍କୁ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ମିଳି ନ ଥିଲା । ମାତ୍ର ଦ୍ୱିତୀୟ ଦିନରେ କୋହଲି ମାତ୍ର ୧୫ ବଲ୍ ଖେଳି ନିଜର ୱିକେଟ୍ ହରାଇଛନ୍ତି ।