ପ୍ରତିବର୍ଷ ପରି ମଧ୍ୟ ଚଳିତ ବର୍ଷ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସଂସ୍କୃତ ବଚାଓ ମଞ୍ଚ ଅଧୀନରେ ଏକ ସ୍ୱତନ୍ତ୍ର କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେଉଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ପ୍ରତିଯୋଗିତା ଜାନୁୟାରୀ ୮ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଖେଳୁଥିବା କ୍ରିକେଟ ଖେଳାଳିମାନେ ଧୋତି-କୁର୍ତ୍ତା ପିନ୍ଧି କ୍ରିକେଟ୍ ଖେଳୁଛନ୍ତି । ବିଶେଷ କଥା ହେଉଛି ପ୍ରତିଯୋଗିତାର କମେଣ୍ଟ୍ରି ମଧ୍ୟ କେବଳ ସଂସ୍କୃତ ଭାଷାରେ କରାଯାଉଛି। ବିଜେତା ଦଳ ପୁରସ୍କାରରେ ଅଯୋଧ୍ୟାର ରାମଲାଲାଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି ।
ସଂସ୍କୃତ ବଚାଓ ମଞ୍ଚ ତଥା ଆୟୋଜକ କମିଟିର ସଭାପତି ଚନ୍ଦ୍ରଶେଖର ତିୱାରୀ କହିଛନ୍ତି ଯେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଅଙ୍କୁର ସ୍ପୋର୍ଟସ ଗ୍ରାଉଣ୍ଡରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ୧୨ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଦୀପ ଜାଳି ଏବଂ ବୈଦିକ ମନ୍ତ୍ରର ପାଠ ସହିତ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ପ୍ରଥମ ପୁରସ୍କାର, ଦ୍ୱିତୀୟ ପୁରସ୍କାର, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ପ୍ରଦାନ କରାଯିବ । ଭାରତୀୟ କଳା , ସଭ୍ୟତା ଏବଂ ସଂସ୍କୃତକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ଅଧିକ ପଢନ୍ତୁ : ୮୪ ସେକେଣ୍ଡରେ ଶେଷ ହେବ ୫୦୦ ବର୍ଷର ପ୍ରତୀକ୍ଷା