ଜାନୁଆରୀ ୨୨ ତାରିଖର ସେହି ସୁବର୍ଣ୍ଣ ମୁହୂର୍ତ୍ତକୁ ସାରା ଭାରତ ଅନେଇ ରହିଛି ଯେବେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ଅଯୋଧ୍ୟାରେ ନିର୍ମିତ୍ତ ଏହି ଭବ୍ୟ ମନ୍ଦିରରେ କୋଟି କୋଟି ଭାରତୀୟଂକୁ ଦର୍ଶନ ଦେବାକୁ ଯାଉଛନ୍ତି ରାମଲାଲା। ସମୟ ଆଗେଇବା ସହ କୋଟି କୋଟି ରାମଭକ୍ତଙ୍କ ଉଦ୍ଦୀପନା ଓ ଉତ୍ସାହ ମଧ୍ୟ ବଢି ବଢି ଚାଲିଥିବା ବେଳେ ସେପଟେ ସଜେଇ ହେଉଛି ଅଯୋଧ୍ୟା ନଗରୀ।
ସାରା ଦେଶ ଦୀର୍ଘ ୫୦୦ ବର୍ଷରୁ ଯେଉଁ ସଂଘର୍ଷ, ତ୍ୟାଗ, ବଳିଦାନ, ପ୍ରତିକ୍ଷାର ଅନ୍ତ ପାଇଁ ଅନେଇ ବସିଛି ଆସନ୍ତା ଜାନୁଆରୀ ୨୨ରେ ସେହି ଯୁଗର ଅବସାନ ଘଟିବାକୁ ଯାଉଛି। ଏହି ପର୍ବ ପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ପବିତ୍ର ଓ ଦିବ୍ୟ ମୁହୂର୍ତ୍ତ । ମାତ୍ର ୮୪ ସେକେଣ୍ଡର ଏହି ବ୍ରହ୍ମ ମୁହୂର୍ତ୍ତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡରେ ସରିବ। ଜାନୁଆରୀ ୨୨ର ଏହି ୮୪ ସେକେଣ୍ଡ ହେଉଛି ସେହି ଦିନର ସବୁଠୁ ଶୁଭ,ମାହେନ୍ଦ୍ର ଓ ଦିବ୍ୟ ମୁହୂର୍ତ୍ତ ଏବଂ ଏହି ମୁହୂର୍ତ୍ତରେ ହିଁ ରାମଲାଲାଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ହେବ । କାରଣ ସେହିଦିନ ୧୧ଟା ୫୧ରୁ ମଧ୍ୟାହ୍ନ ୧୨ଟା ୩୩ ଯାଏଁ ଅଭିଜିତ ମୁହୂର୍ତ୍ତ ସହିତ ସବୁ ଦୃଷ୍ଟିରୁ ୧୦ଟି ଶୁଭଲକ୍ଷଣ ଯୁକ୍ତ ହୋଇଥିବାରୁ ଏଇ ସମୟରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ବାରାଣସୀର ବୈଦିକ ଆଚାର୍ଯ୍ୟ । ସେହିଦିନ ଚାରି ବେଦରେ ଚାରି ଦିଗ ପ୍ରକମ୍ପିତ ହେବ, ଜୟ ଶ୍ରୀରାମ ଧ୍ୱନିରେ ପବିତ୍ର ହେବ ଅଯୋଧ୍ୟା ନଗରୀ । କିନ୍ତୁ ପ୍ରାଣ ପ୍ରତିଷ୍ଠା ହେବାର ୬ ଦିନ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ୧୬ ତାରିଖରେ ସରଜୁ ନଦୀ କୂଳରେ ଅଭିଷେକ ଆରମ୍ଭ ହୋଇ ୧୭ ତାରିଖରେ ମଙ୍ଗଳ କଳସ ଯାତ୍ରା, ୧୮ରେ ଗଣେଶ ଅମ୍ବିକା ପୂଜା ପରେ ୧୯ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ସ୍ଥାପନା କରାଯିବ । ୨୦ ତାରିଖରେ ଗର୍ଭ ଗୃହକୁ ସରଜୁ ନଦୀ ପାଣିରେ ଶୁଦ୍ଧିକରଣ କରାଯାଇ ବାସ୍ତୁ ଶାନ୍ତି କରାଯିବ। ୨୧ରେ ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ସ୍ନାନ କରାଯିବ ଏବଂ ପରିଶେଷରେ ୨୨ରେ ନିଜ ଆସ୍ଥାନରେ ବିରାଜ କରିବେ ରାମଲାଲା।
ଅପରପକ୍ଷରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ପୂରଣ ହୋଇଛି ଅଯୋଧ୍ୟାର ୧୦୫ଟି ଗାଁର ସୂର୍ଯ୍ୟବଂଶୀ କ୍ଷତ୍ରିୟଙ୍କ ସଂକଳ୍ପ। ୫୦୦ ବର୍ଷ ପରେ ଅଯୋଧ୍ୟା ଓ ବସ୍ତି ଜିଲ୍ଲାରେ ଥିବା ପ୍ରାୟ ୧୦୫ଟି ଗାଁର ଲୋକମାନେ ଜୋତା କିମ୍ବା ପଗଡି ପିନ୍ଧିବାକୁ ଯାଉଛନ୍ତି। ଏହି ଗାଁରେ ପ୍ରାୟ ଦେଢ଼ ଲକ୍ଷ ଲୋକ ବାସ କରନ୍ତି। ପ୍ରାୟ ୫୦୦ବର୍ଷ ହେବ ଏହି ସମୁଦାୟର ଲୋକମାନେ ମୁଣ୍ଡରେ ପଗଡି କିମ୍ବା ଚମଡା ଚପଲ ପିନ୍ଧୁ ନଥିଲେ। ଏହି ଲୋକ ମାନେ ସୂର୍ଯ୍ୟବଂଶୀ କ୍ଷତ୍ରିୟ ସମ୍ପ୍ରଦାୟର ଓ ସେମାନେ ନିଜକୁ ଶ୍ରୀରାମଙ୍କ ଉତ୍ତରାଧିକାରୀ ରୂପେ ବିବେଚନା କରନ୍ତି। ରାମ ମନ୍ଦିର ଉପରେ ମୋଗଲ ମାନଙ୍କ ଆକ୍ରମଣ ପରେ ପୁନର୍ବାର ମନ୍ଦିର ନିର୍ମାଣ ନ ହେଵା ଯାଏଁ ମୁଣ୍ଡରେ ପଗଡି କିମ୍ବା ଗୋଡରେ ଚମଡା ଜୋତା ପିନ୍ଧିବେ ନାହିଁ ବୋଲି ଏହି ସମୁଦାୟ ସଂକଳ୍ପ ନେଇଥିଲେ। ଏଥିପାଇଁ ସେମାନେ ୫୦୦ ବର୍ଷ ହେଲାଣି ପିଢ଼ି ପିଢ଼ି ପରେ କଠଉ ପିନ୍ଧି ଆସୁଥିଲେ।ତେବେ ପ୍ରାଣପ୍ରତିଷ୍ଠା ପରେ ଏହି ଲୋକମାନେ ପଗଡି ଓ ଜୋତା ପିନ୍ଧିବେ ବୋଲି କହିଛନ୍ତି।
ସେହିପରି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଜଣଙ୍କ ପରେ ଜଣେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ଧାରାରେ କୋର୍ଟରେ ମାମଲା ଚାଲୁଥିବା ବେଳେ ମସଜିଦ୍ ପକ୍ଷର ଆବେଦନକାରୀ ଥିବା ଇକବାଲ୍ ଅନସାରୀଙ୍କୁ ନିମନ୍ତ୍ରଣ ଯାଇଥିବାର ସୂଚନା ମିଳିଛି।
ଅଧିକ ପଢନ୍ତୁ :ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସାମରୁ ଗଲା ୭୦୦୦ ବାଉଁଶ ଖଣ୍ଡ