ନୂଆଦିଲ୍ଲୀ: ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ମ୍ୟାଚ୍ ଜୁଲାଇ ୩୧ରୁ ଲଣ୍ଡରନ ଓଭାଲରେ ଖେଳାଯିବ । ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଭାରତ ସିରିଜ୍ ଜିତିବାର ନାହିଁ କିନ୍ତୁ ଦଳ ପାଖରେ ସିରିଜ୍ ଡ୍ର କରାଇବାର ସୁଯୋଗ ରହିଛି । ତେବେ ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ ଦଳରେ ଗୋଟିଏ କି ଦୁଇଟି ନୁହେଁ ବରଂ ଚାରୋଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହା ପଛରେ ଭିନ୍ନ ଭିନ୍ନ କାରଣ ବି ରହିଛି ।
ଭାରତୀୟ ଦଳ ମାଞ୍ଚେଷ୍ଟର ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିବା ବେଳେ ପଞ୍ଚମ ପାଇଁ ଦଳର ଚିନ୍ତାର ବିଷୟ ଦୁଇ ବଡ ମ୍ୟାଚ୍ ବିଜେତା ଖେଳାଳି ଉପଲବ୍ଧ ହେବେ ନାହିଁ । ଆଉ କିଛି ଖେଳାଳି ଖରାପ ଫର୍ମ କାରଣରୁ ବାଦ୍ ପଡି ପାରନ୍ତି । ଋଷଭ ପନ୍ତ ଦଳର ଉପଅଧିନାୟକ । ମାତ୍ର ଚତୁର୍ଥ ଟେଷ୍ଟରେ ତାଙ୍କର ଡାହାଣ ପାଦର ଆଙ୍ଗୁଠିରେ ଆଘାତ ଲାଗିଛି । ତେଣୁ ସେ ପଞ୍ଚମ ଟେଷ୍ଟ ଖେଳି ପାରିବେ ନାହିଁ । ତାଙ୍କ ସ୍ଥାନରେ ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ । ଆଉ ଜଣେ ୱିକେଟ୍ କିପର ବ୍ୟାଟର ଏନ ଜଗଦୀଶନ ମଧ୍ୟ ଦଳରେ ଅଛନ୍ତି ।
ଦ୍ୱିତୀୟ ସବୁଠୁ ବଡ ପରିବର୍ତ୍ତନ ଯଶପ୍ରୀତ ବୁମରାଙ୍କୁ ନେଇ ଦେଖିବାକୁ ମିଳିବ । ସେ କାର୍ଯ୍ୟଚାପ ଯୋଗୁଁ ପଞ୍ଚମ ଟେଷ୍ଟ ଖେଳିବା ସ୍ଥିତିରେ ନାହାନ୍ତି । ତାଙ୍କର ଶରୀର ବି ଅନୁମତି ପ୍ରଦାନ କରୁ ନ ଥିବା ଚତୁର୍ଥ ଟେଷ୍ଟରେ ଦେଖିବାକୁ ମିଳିଛି । ସେ ପୂର୍ବରୁ ମଧ୍ୟ କହି ସାରିଥିଲେ ଯେ, ୫ଟି ଟେଷ୍ଟରୁ ସେ ୩ଟି ଖେଳି ପାରିବେ । ଏମିତି ସ୍ଥିତିରେ ତାଙ୍କ ଜାଗାରେ ଆକାଶଦୀପ ଦଳକୁ ଫେରିବେ । ଆହତ କାରଣରୁ ଚତୁର୍ଥ ଟେଷ୍ଟ ଖେଳି ପାରି ନ ଥିବା ଆକାଶଦୀପଙ୍କ ସ୍ଥାନରେ ଅଂଶୁଲ କମ୍ବୋଜଙ୍କୁ ଦଳରେ ସୁଯୋଗ ମିଳିଥିଲା । ହେଲେ ସେ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ ।
ଅଂଶୁଲ କମ୍ବୋଜଙ୍କ ସ୍ଥାନରେ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିପାରେ । ଆହତ କାରଣରୁ ଅର୍ଶଦୀପ ସିଂ ଚତୁର୍ଥ ଟେଷ୍ଟରେ ଦଳରେ ଉପଲବ୍ଧ ନ ଥିଲେ । ଅନ୍ୟପଟେ ଶାର୍ଦ୍ଦୁଳ ଠାକୁର ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଖେଳିଥିଲେ । ହେଲେ ସେ ବୋଲିଂରେ କିଛି ଖାସ୍ କରି ପାରି ନ ଥିଲେ । ଏମିତିରେ ପଞ୍ଚମ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ଶାର୍ଦ୍ଦୁଳଙ୍କ ସ୍ଥାନରେ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବା ନେଇ ଟିମ୍ ମ୍ୟାନେଜମେଣ୍ଟ ବିଚାର କରି ପାରନ୍ତି । ଟପ୍-୪ରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । କରୁଣ ନାୟର ଏବେ ବି ଦଳ ବାହାରେ ରହିବେ । କାରଣ ସାଇ ସୁଦର୍ଶନ ଦ୍ୱିତୀୟ ଇନିଂସରେ ଶୂନ୍ୟ କରିଥିଲେ ହେଁ ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ଋଷଭ ପନ୍ତଙ୍କ ସ୍ଥାନ ନେବେ ଧ୍ରୁବ ଜୁରେଲ ।
ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଖେଳିବେ ଆକାଶ ଦୀପ ।
ଅଂଶୁଲ କମ୍ବୋଜଙ୍କ ସ୍ଥାନରେ ଅର୍ଶଦୀପ ଖେଳି ପାରନ୍ତି ।
ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ।
ପଞ୍ଚମ ଟେଷ୍ଟ ପାଇଁ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ(ୱିକେଟ୍ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଆକାଶଦୀପ, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ।