ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ରେ ସଂପ୍ରତି କିଛି ଠିକ୍ ଚାଲିନାହିଁ । କେତେବେଳେ ଅଧିନାୟକ ଇସ୍ତଫା ଦେଲେଣି ତ କେତେବେଳେ ଦଳ ପ୍ରବନ୍ଧକ ବିରୋଧରେ କୌଣସି ଖେଳାଳି ବିଷୋଦଗାର କରୁଛନ୍ତି । ବହୁ ବିଚାର ବିମର୍ଶ ପରେ ଓ୍ଵିକେଟ୍ କିପର ବ୍ୟାଟର ମହମ୍ମଦ ରିଜଓ୍ଵାନଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଗତକାଲି ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରିଛି ।ତେବେ ଏହାର ଦିନକ ପରେ ଦଳର ଦିନିକିଆ ଓ ଟି-୨୦ ଦଳର କୋଚ୍ ଗ୍ୟାରୀ କର୍ଷ୍ଟନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା କ୍ରିକେଟ ଜଗତରେ ଚର୍ଚ୍ଚିତ ବିଷୟ ପାଲଟିଛି ।
କର୍ଷ୍ଟନଙ୍କୁ ୨୦୨୪ ଏପ୍ରିଲରେ ପିସିବି ଦୁଇ ବର୍ଷ ଅନୁବନ୍ଧରେ ନିଯୁକ୍ତ କରିଥିଲା। ମାତ୍ର ଛଅ ମାସ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସବୁଠୁ ବଡ଼ କଥା ଗ୍ୟାରୀ କର୍ଷ୍ଟନ ଗୋଟିଏ ବି ଦିନିକିଆ ମ୍ୟାଚ୍ରେ ଦଳକୁ ପ୍ରଶିକ୍ଷଣ ଦେଇ ନାହାନ୍ତି। ଉଲ୍ଲେଖନୀୟ କର୍ଷ୍ଟନଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳ ୨୦୧୧ରେ ଦିନିକିଆ ବିଶ୍ଵକପ୍ ଜିତିଥିଲା। କିନ୍ତୁ କର୍ଷ୍ଟନ ପାକିସ୍ତାନ ଦଳର କୋଚ୍ ଭାବେ ନିଜକୁ ଖାପ ଖୁଆଇ ପାରି ନାହାନ୍ତି ।
କୁହାଯାଉଛି ଗ୍ୟାରୀ କର୍ଷ୍ଟନଙ୍କଠୁ ପିସିବି ଦଳ ଚୟନ କରିବାର ଅଧିକାର ଛଡାଇ ନେଇଥିଲା। ଏହି ଅଧିକାରକୁ ଚୟନ କମିଟି କେବଳ ନିଜ ପାଖରେ ରଖିଥିଲା। ଏହି କାରଣ ପାଇଁ ଗ୍ୟାରୀ କର୍ଷ୍ଟନ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏପରିକି ମହମ୍ମଦ ରିଜଓ୍ଵାନଙ୍କୁ ଅଧିନାୟକ ନିଯୁକ୍ତି ସମୟରେ ମଧ୍ୟ କର୍ଷ୍ଟନଙ୍କ ମତାମତ ଲୋଡ଼ି ନ ଥିଲା ପିସିବି। ଆଉ ଏହା ହିଁ କର୍ଷ୍ଟନଙ୍କ ପାକିସ୍ତାନ କ୍ରିକେଟ୍ ଦଳର କୋଚ୍ ପଦରୁ ଇସ୍ତଫା ଦେଇଥିବା କାରଣ ବୋଲି କୁହାଯାଉଛି ।
ବର୍ତ୍ତମାନ ଚୟନ କମିଟିର ବଢୁଥିବା ପ୍ରଭାବ କାରଣରୁ ଗ୍ୟାରୀ କର୍ଷ୍ଟନ ନିଜକୁ ଅସହଜ ମନେ କରୁଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାକିସ୍ତାନ ହାରିବା ପରେ ନୂଆ ଚୟନ କମିଟି ଗଠନ କରାଯାଇଥିଲା। କିନ୍ତୁ ଦଳ ଚୟନରେ କୋଚ୍ ଓ ଅଧିନାୟକଙ୍କୁ ହଟାଇ ଦିଆଯାଇଥିଲା। ଯାହାକୁ ନେଇ ପିସିବି ପ୍ରତି ଖପ୍ପା ଥିଲେ କର୍ଷ୍ଟନ । ଆଉ ସେ ଆଜି ଦିନିକିଆ ଓ ଟି-୨୦ ଦଳର କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ।